ସରକାରଙ୍କ ବଡ ନିଷ୍ପତ୍ତି : ପେଟ୍ରୋଲ ୫ ଟଙ୍କା ଓ ଡିଜେଲ୍ କମିବ ୧୦ ଟଙ୍କା

ନୂଆଦିଲ୍ଲୀ ୦୩।୧୧: (ସଂକେତ ଟିଭି) ଦୀପାବଳି ପୂର୍ବରୁ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି । ତୈଳ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ୧୦ ଟଙ୍କା ଶସ୍ତା ହେବ। ଏହି ଦର ଆସନ୍ତାକାଲିଠୁ ଲାଗୁ ହେବ। ପେଟ୍ରୋଲ ତୂଳନାରେ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ଦୁଇ ଗୁଣ ହ୍ରାସ ହେବ।

ତେବେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୬୦ ପଇସା ଓ ଡିଜେଲ ଲିଟର ୧୨ଟଙ୍କା ୮୦ ପଇସା କମି ପାରେ। ତେବେ ଦେଶରେ ଗତ କିଛି ଦିନ ଧରି ତେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦି ହୋଇଯାଉଥିଲା। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଛି। ଏପରିକି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ। ସେହି ପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ସବୁଠୁ ଅଧିକ ମହଙ୍ଗା ମାଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଛି। କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା।

ସେପଟେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଛି। ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ଆଉ ତେଲ ଦାମ ହ୍ରାସ କରିବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସବୁଠୁ ଅଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ। ଗତ ବର୍ଷ ପେଟ୍ରୋଲ ଲିଟର ଉପରେ ଉତ୍ପାଦ ଶୁଳ୍କ ୧୯.୯୮ ଟଙ୍କାରୁ ବଢାଯାଇ ୩୨.୯ ଟଙ୍କା କରାଯାଇଥିଲା। ସେହି ପରି ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ୩୧.୮୦ ଟଙ୍କା ଆଦାୟ କରାଯାଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିଲା। ଏହା ପରେ ବି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିନଥିଲେ। ଏହି କାରଣରୁ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଥିଲା। ଅନେକ ସହରରେ ଡିଜେଲ୍ ଶତକ ଛୁଇଁଥିଲା।