ଟି-୨୦ ବିଶ୍ଵକପ୍‌; ଆଫଗାନିସ୍ତାନକୁ ୬୬ ରନରେ ହରାଇଲା ଭାରତ

ଆବୁଧାବି ୦୩।୧୧: (ସଂକେତ ଟିଭି) ଟି-୨୦ ବିଶ୍ଵ କପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ପାକିସ୍ଥାନ ଏବଂ ନ୍ଯୁଜିଲ୍ଯାଣ୍ଡଠାରୁ ଶୋଚନୀୟ ପରାଜୟ ହାସଲ କରିବା ପରେ ଆଜି ଆଫଗାନିସ୍ତାନକୁ ୬୬ ରନର ବଡ ବ୍ୟବଧାନରେ ପରାଜିତ କରିଛି।

ତୃତୀୟ ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଓପନର ରୋହିତ ଶର୍ମା(୭୪) ଏବଂ ଲୋକେଶ ରାହୁଲ(୬୯) ରନ ବଳରେ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୦ ରନର ବିଶାଳ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୫ ଏବଂ ଋଷଭ ପନ୍ତ ୨୭ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ।

୨୧୧ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ଆଫଗାନିସ୍ତାନ ୧୩ ରନରେ ଦୁଇ ଓପନର ମହମ୍ମଦ ଶେହଜାଦ(୦) ଓ ହଜରତୁଲ୍ଲା ଜଜାଇ(୧୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥଲା। ରହମନତୁଲ୍ଲା(୧୯), ଗୁଲବଦିନ ଗୁରବଜ(୧୮), ନଜିବୁଲ୍ଲା ଜରଦାନ(୧୧), ମହମ୍ମଦ ନବି (୩୫), କରିମ ଜନତ (୪୨) ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ଆଫଗାନିସ୍ତାନ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା। ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ୨ ଟି ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅପ୍ରତ୍ୟାଶିତ ପରାଜୟ ପରେ ଆଫଗାନିସ୍ତାନ ମୁକାବିଲାରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଦଳ। ଶେଷରେ ଚଳିତ ଟି-୨୦ ବିଶ୍ଵ କପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଭାରତ।

ଏହି ବିଜୟ ସହିତ ବିଶ୍ଵ କପ୍‌ରେ ଭାରତ ସେମି ଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି । ଏବେ ଭାରତୀୟ ଦଳର ବିଶ୍ଵ କପ୍ ଅଭିଯାନ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମୁକାବିଲା ଉପରେ ନିର୍ଭର କରିବ।