ସେୟାର ମାର୍କେଟରେ କ୍ଷତି ହେବାରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ଯୁବକ !

ଭୁବନେଶ୍ବର ୦୩।୧୧: (ସଂକେତ ଟିଭି) ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର କୋମଳମତି ପୁଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ଘଟଣାଟି ଘଟିଛି ଭୁବନେଶ୍ୱର କଳିଙ୍ଗନଗର କେ-୪ ପ୍ଲଟ୍ ନମ୍ବର ୩୩୪ରେ ।

ମୃତକ ଦୁଇ ଜଣ ହେଉଛନ୍ତି ସୁନ୍ଦରପଦା ଓରକଳାର ସ୍ବର୍ଣ୍ଣଲତା ମଙ୍ଗରାଜ ଓ ଧୃତିଦୀପ୍ତି ମଙ୍ଗରାଜ । ଅଭିଯୁକ୍ତ ଜଣକ ହେଉଛନ୍ତି ଖୋର୍ଦ୍ଧା ରାଇପୁରର ଅବନ୍ତି ବିଜୟ ମଙ୍ଗରାଜ ଓରଫ ବାବି । ସ୍ତ୍ରୀ ଓ ପୁଅକୁ ହତ୍ଯା କରିବା ପରେ ସେ ଆତ୍ମହତ୍ଯା କରିବାକୁ ଉଦ୍ଯମ କରି ବିଫଳ ହୋଇ ଫେରାର ହୋଇଯାଇଥିଲା । ତାକୁ ପୋଲିସ ଭୁବନେଶ୍ବର ଆଇଜି ପାର୍କରୁ ଗିରଫ କରିଛି । ଅବନ୍ତିଙ୍କୁ ଗିରଫ କରି ତମାଣ୍ଡୋ ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁସାରେ, ଖୋର୍ଦ୍ଧା ରାଇପୁରର ଅବନ୍ତି ଏୟାରଫିଲ୍ଡ ଥାନା ଅଧୀନ ଓରକଲ ଗାଁର ୨୦୧୦ରେ ସ୍ୱର୍ଣ୍ଣଲତାଙ୍କୁ କରିଥିଲେ ବିବାହ । ତାଙ୍କର ଏକ ୧୦ ବର୍ଷର ପୁଅ ଥିଲା । ଘର ସଂସାର ଠିକାଠାକ ଚାଲୁଥିଲା । ସେମାନେ କଳିଙ୍ଗବିହାର କେ-୪ରେ ପୁଅଙ୍କ ଧୃତିଙ୍କ ସହ ରହୁଥିଲେ । ଆଜି ଅପରାହ୍‌ଣ ପ୍ରାୟ ୩ଟା ୧୭ରେ ବାବି ତା’ର ବଡ଼ଶଳା ସୁମନ୍ତ ପ୍ରଧାନଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜ୍ ପଠାଇ ଲେଖିଥିଲା ଯେ ସ୍ବର୍ଣ୍ଣଲତା ଓ ଧୃତିକୁ ସେ ମାରି ଦେଇଛି । ସୁମନ୍ତ ତୁରନ୍ତ ତ‌ାଙ୍କ ଭଉଣୀ-ଭିଣୋଇ ରହୁଥିବା କେ-୪ ଭଡ଼ାଘରକୁ ଚାଲି ଆସିଥିଲେ । ସେ ଶୋଇବା ଘରେ ପଶି ଦେଖିବା ବେଳକୁ ତାଙ୍କ ଭଉଣୀ ସ୍ବର୍ଣ୍ଣଲତା ଚଟାଣରେ ଓ ଭଣଜା ଧୃତି ଖଟ ଉପରେ ନିସ୍ତେଜ ହୋଇ ପଡ଼ିଛନ୍ତି ।

ଅବନ୍ତି ହତ୍ୟାର ପୂରା ପ୍ଲାନ୍ ୩ ଦିନ ଆଗରୁ କରିଥିଲା । ଘଟଣା ଦିନ ପତ୍ନୀ ସ୍ୱର୍ଣ୍ଣଲତା ଓ ପୁଅର ଖାଇବାରେ କିଛି ଔଷଧ ମିଶାଇ ଥିଲେ । ଖାଇବା ପରେ ସେମାନେ ନିଘୋଡ଼ ଦିନରେ ଶୋଇ ଯାଇଥିଲେ । ଏହାପରେ ସଇତାନ ସ୍ୱାମୀ ସ୍ୱର୍ଣ୍ଣଲତା ଏବଂ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିଲା ।

ସୁମନ୍ତଙ୍କ କହିବା ଅନୁସାରେ ଅବନ୍ତି ଦେଢ଼ ବର୍ଷ ତଳେ ୩ ଲକ୍ଷ ଟଙ୍କା ନେଇ ବାବି ସେୟାର ମାକେର୍ଟରେ ଲଗାଇଥିଲେ । ଫନି ବାତ୍ୟା ସମୟରେ ୮୦ ହଜାର ଟଙ୍କା ଡ଼ାଉନ ହୋଇଥିଲା । ପରେ ସେ ଅନ୍ୟମାନଙ୍କଠାରୁ ମଧ୍ୟ ଟଙ୍କା ଧାର ନେଇ ସେୟାର ମାର୍କେଟରେ ଲଗାଇଥିଲେ । ଏଥିରେ ମଧ୍ଯ କ୍ଷତି ହେବାରୁ ସେ ମାନସିକ ଚାପରେ ଥିଲେ ।