ଶ୍ରୀନଗରରୁ ସାରଜା ବିମାନକୁ ନିଜ ରାଷ୍ଟ୍ର ଉପରେ ଉଡିବାକୁ ଅନୁମତି ଦେଲାନାହିଁ ପାକିସ୍ତାନ

ନୂଆଦିଲ୍ଲୀ ୦୩।୧୧: (ସଂକେତ ଟିଭି) ଶ୍ରୀନଗରରୁ ସାରଜାକୁ ବିମାନ ଉଡିବା ଲାଗି ନିଜ ଦେଶର ଆକାଶ ସୀମାକୁ ଅନୁମତି ଦେବନି ପାକିସ୍ତାନ। ଏହି ବିମାନ ସିଧାସଳଖ ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରୁଥିବାବେଳେ ଏବେ ପାକିସ୍ଥାନ ତାର ଅନୁମତିକୁ ରଦ୍ଦ କରିଛି । ପାକିସ୍ତାନର ଏପରି ନିଷ୍ପତ୍ତି ପରେ ଏହି ବିମାନ ସେବାରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇଛି । ପରିବର୍ତ୍ତିତ ଆକାଶ ମାର୍ଗରେ ଅଧିକ ସମୟ ସହ ଯାତ୍ରା ବିଳମ୍ବ ହେବ । ସେହିପରି ଦୂରତା କାରଣରୁ ଯାତ୍ରା ଭଡା ମଧ୍ୟ ବଢିବା ଆଶଙ୍କା କରାଯାଇଛି ।

ପାକିସ୍ତାନର ଏପରି ଆଭିମୁଖ୍ୟ ପରେ ଶ୍ରୀନଗରରୁ ଉଡାଣ ଭରୁଥିବା ବିମାନ ବର୍ତ୍ତମାନ ରାଜସ୍ଥାନର ଉଦୟପୁର, ଅହମ୍ମଦାବାଦ ଓ ଓମାନ ଦେଇ ସାରଜାରେ ପହଞ୍ଚିବ । ଫଳରେ ସ୍ବାଭାବିକ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଅଧିକ ଯାତ୍ରା କରିବ ବୋଲି ଜଣାପଡିଛି । ତେବେ ପୂର୍ବରୁ ମଧ୍ୟ ପାକିସ୍ତାନ ସମାନ ଭାବେ ୨୦୧୦ ମସିହାରେ ଏୟାର ଇଣ୍ଡିଆ ବିମାନକୁ ନିଜ ଆକାଶମାର୍ଗ ବ୍ୟବହାର କରିବାକୁ ମନା କରିଥିଲା ।

ଗତମାସ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୩ ଦିନିଆ କାଶ୍ମୀର ଗସ୍ତ ମସୟରେ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । କାଶ୍ମୀର ଶ୍ରୀନଗର ବିମାନ ବନ୍ଦର ଓ ସଂଯୁକ୍ତ ଆରବ ରାଷ୍ଟ୍ରର ସାରଜାର ସେଖ-ଅଲ ଆଲାମ ବିମାନ ବନ୍ଦର ମଧ୍ୟରେ ସିଧା ବିମାନ ଚଳାଚଳ ଉଭୟ ଦେଶ ମଧ୍ୟରେ ଯୋଗାଯୋଗ ଓ ପର୍ଯ୍ୟଟନ ପାଇଁ ବେଶ ଉପଯୋଗୀ ହେବ ବୋଲି ଶାହା କହିଥିଲେ । ସେତେବେଳେ ପାକିସ୍ତାନ ତାର ଆକାଶ ମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇଥିବାବେଳେ ହଠାତ ତାର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି ।

ଏସମ୍ପର୍କରେ ଶ୍ରୀନଗର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ଯେ ଆଜି ସାରଜାରୁ ଶ୍ରୀନଗର ଆସିଥିବା ବିମାନ ତାର ନିର୍ଦ୍ଧାରିତ ସମୟରେ ଶ୍ରୀନଗରର ଲ୍ୟାଣ୍ଡିଂ କରିଛି । ପାକିସ୍ତାନ ନିଜ ଆକାଶମାର୍ଗ ବ୍ୟବହାର କରିବା ପାଇଁ କଟକଣା ଜାରି କରିଥିବା ନେଇ କୌଣସି ଆନୁଷ୍ଠାନିକ ସୂଚନା ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଜଣାଯାଇ ନାହିଁ। ତେବେ ସୂଚନା ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ସେ କହିଛନ୍ତି ।