ସ୍କଟଲାଣ୍ଡକୁ ମାତ୍ର ୩୯ ବଲ୍‌ରେ ହରାଇଲା ଭାରତ, ସେମିଫାଇନାଲ ଆଶା ଉଜ୍ଜୀବିତ

ଦୁବାଇ ୦୫।୧୧: (ସଂକେତ ଟିଭି ) କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ସ୍କଟଲାଣ୍ଡକୁ ଭାରତ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ଚମତ୍କାର ବିଜୟ ସହ ଭାରତ ଗ୍ରୁପ ୨ର ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉଠିଛି। ଦଳ ନେଟ୍ ରନ ରେଟ୍‌ରେ ଆଫଗାନିସ୍ତାନକୁ ପଛରେ ପକାଇ ଦେଇଛି। ଏବେ ଭାରତକୁ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଆଫଗାନିସ୍ତାନ ଜିତିଲେ ଭାରତର ସେମି ଫାଇନାଲ୍ ପଥ ସହଜ ହୋଇଯିବ।

ଅଧିନାୟକ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍କଟଲାଣ୍ଡ ଭାରତୀୟ ବୋଲର ଘାତକ ବୋଲିଂର ମୁକାବିଲା କରିନପାରି ମାତ୍ର ୧୭.୪ ଓଭରରେ ୮୫ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଜାଡେଜା ଓ ଶାମି ପ୍ରତ୍ୟେକ ୧୫ ରନ ଦେଇ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଜବାବରେ ଭାରତର ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। କେଏଲ ରାହୁଲଙ୍କ ୫୦ ଏବଂ ରୋହିତ ଶର୍ମାଙ୍କ ୩୦ ରନ ବଳରେ ମାତ୍ର ୬.୩ ଓଭରରେ ୮୬ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଲୋକେଶ ରାହୁଲ ମାତ୍ର ୧୮ ବଲ୍‌ରୁ ଟି-୨୦ ଅନ୍ତର୍ଜାତୀୟରେ ୧୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୯ ବଲ୍‌ରୁ ୬ ଚୌକା ଓ ୩ ଛକା ଜରିଆରେ ୫୦ ରନ କରି ଆଉଟ୍ ହୋଇଥିଲେ।