ବରଗଡରେ କ୍ୟାନସର ହସ୍ପିଟାଲ ପାଇଁ ଶିଳାନ୍ୟାସ କଲେ ମୁଖ୍ଯମନ୍ତ୍ରୀ, ବାଣ୍ଟିଲେ BSKY କାର୍ଡ

ବରଗଡ ୧୩।୧୧: (ସଂକେତ ଟିଭି) ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁର ଗଣ୍ଡପାଲି ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗ ଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ଏହା ସହିତ ସେ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବାଣ୍ଟିବା ସହ କହିଛନ୍ତି, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ବରଗଡ ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ସେ କହିଥିଲେ ।

ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରିଥିବା ବେଳେ ୨ ହଜାର ୫ ଶହ କୋଟିର ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠାଜଳସେଚନ କାର୍ଯ୍ୟ ୨ ହଜାର ୯୦ କୋଟି ଟଙ୍କାରେ ଚାଲିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।