୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ପାକିସ୍ତାନରୁ ଭାରତ ଆସୁଥିଲା ଏହି ଡ୍ରଗ୍ସ

ଅହମଦାବାଦ ୧୫/୧୧ : (ସଂକେତ ଟିଭି) ଗୁଜୁରାଟ ପୋଲିସ ମୋର୍ବିରୁ ୬୦୦ କୋଟି ଟଙ୍କା ମୂଲ୍ୟର ୧୨୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ତେବେ ରବିବାର ବିଳମ୍ବିତ ରାତିରେ ଗୁଜୁରାଟ ଏଟିଏସ୍ ଓ ମୋର୍ବି ପୋଲିସର ମିଳିତ ଭାବରେ ମୋର୍ବି ଜିଲ୍ଲାର ଜିଞ୍ଜୁଡା ଗ୍ରାମରେ ଚଢାଉ କରି ଡ୍ରଗ୍ସ ଜବତ କରିବା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଞ୍ଚଳ ମୋର୍ବିଠାରୁ ୩୫ କିଲୋମିଟର ଦୂରରେ ଏକ ସମୁଦ୍ର କୂଳରେ ଅବସ୍ଥିତ ।

ମୋର୍ବି ପୋଲିସ ଅଧିକାରୀଙ୍କ ସହ ଏଟିଏସରମାନେ ଏହି ଚଢାଉ କରିଥିଲେ । ଏହି ଚଢାଉ ସମୟରେ ଗାଁର ଅନେକ ଘରରୁ ଡ୍ରଗ୍ସ ଜବତ କରାଯାଇଛି । ତେବେ ଏହି ସପ୍ତାହରେ ଦ୍ବିତୀୟ ଥର ଗୁଜୁରାଟରୁ କୋଟି କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ବକ୍ସଙ୍କ ଏହି ଡ୍ରଗ୍ସ କାରବାରରେ ହାତ ଥିବା କୁହାଯାଉଛି । ପାକିସ୍ତାନରୁ ଏହି ଡ୍ରଗ୍ସ ଭାରତକୁ ଚୋରାଚାଲାଣ କରାଯାଉଥିଲା । ହେଲେ ଏହା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ଜବତ କରିଛି ଗୁଜୁରାଟ ଏଟିଏସ ।

ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ ଥିବା ଖାଲିଦର ସମ୍ପର୍କ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ସହ ଥିବା ଜଣାପଡିଛି। ଏହି ଡ୍ରଗ୍ସ ଚୋରା କାରାବାରର ବ୍ଲୁ-ପ୍ରିଣ୍ଟ ଦୁବାଇରେ ହୋଇଥିଲା । ଦୁବାଇରେ ହିଁ ଭାରତର ଦୁଇ ଡ୍ରଗ୍ସ ମାଫିଆଙ୍କ ସହ ଖାଲିଦ ଡିଲ କରିଥିଲା ।

ଏହାପୂର୍ବରୁ ଗତ ସପ୍ତାହରେ ପୁଲିସ ଦ୍ୱାରକା ଓ ସୁରଟରୁ ହେରୋଇନ ଓ ନିଶା ଦ୍ରବ୍ୟ ଜବତ କରିଥିଲା। ଆଉ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଦ୍ୱାରକାରୁ ପୁଲିସ ଯେଉଁ ୧୭ କିଲୋ ଡ୍ରଗ୍ସ ଜବତ କରିଥିଲା ତାହାର ଆନୁମାନିକ ମୂଲ୍ୟ ୯୦ କୋଟି ଥିଲା ।