ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଶାହିଦ କପୁର

ମୁମ୍ବାଇ :(ସଂକେତ ଟିଭି) ବଲିଉଡ୍ ଅଭିନେତା ଶାହିଦ କପୁର ନିକଟରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହେଉଛି । ଏସମ୍ପର୍କରେ ଅଲୀ ଜଫର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମଟି ୨୦୧୧ରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଫ୍ରେଞ୍ଚ୍ ଫିଲ୍ମ ନ୍ୟୁଟ ବ୍ଲାଞ୍ଚ୍ ର ହିନ୍ଦୀ ରିମେକ୍ । ତେବେ ଏହାକୁ ନେଇ ତାମିଲ ଏବଂ ତେଲୁଗୁ ଭାଷା ଯଥା ଥୁଙ୍ଗା ବନମ ଓ ଚିକାତି ରାଜ୍ୟମ ନାମରେ ଫିଲ୍ମ ନିର୍ମାଣ ହୋଇଯାଇଛି । ଅଲୀ ଅବ୍ବାସ ଜଫର ନିଜର ଏବଂ ଶାହିଦଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ଚାଲନ୍ତୁ ଏହାକୁ ଆରମ୍ଭ କରିବା ଶାହିଦ କପୁର, କଣ ତୁମେ ବନ୍ଧୁକ ଓ ଗ୍ୟାଙ୍ଗର ପାଗଳପଣରେ ଭରପୂର ଯାତ୍ରା ପାଇଁ ପ୍ରସ୍ତୁତ ଅଛ ।

ଫିଲ୍ମରେ ଶାହିଦ କପୁର ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ, ଯିଏ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଲଢେଇ କରୁଛନ୍ତି । ତାଙ୍କ ଅଭିନୀତି କବୀର ସିଂହ ଫିଲ୍ମ ବକ୍ସଅଫିସରେ ବ୍ଲକବଷ୍ଟର ହୋଇଥିଲା । ଯାହା ପରେ ଶାହିଦଙ୍କ ବ୍ରାଣ୍ଡ୍ ଭେଲ୍ଯୁ ବଢ଼ିଯାଇଛି । ସେ ଏବେ ଭାବିଚିନ୍ତି ଫିଲ୍ମ ଚୟନ କରୁଛନ୍ତି । ତାଙ୍କର ଅପକମିଂ ଫିଲ୍ମ ଜର୍ସି ଖୁବଶୀଘ୍ର ମୁକ୍ତିଲାଭ କରିବ । ଏହି ଫିଲ୍ମ କ୍ରିକେଟ ଉପରେ ଆଧାରିତ ହୋଇଛି । ଏହାବ୍ୟତୀତ ଆଗକୁ ଶାହିଦ କପୁର ଏକ ଓ୍ବେବ ସିରିଜ୍ ରେ ମଧ୍ୟ ନଜର ଆସିବେ । ସେପଟେ ନିକଟରେ ସେ ଆଉ ଏକ ନୂଆ ଫିଲ୍ମ ବୁଲ୍ ପାଇଁ ସାଇନ କରିଥିବା ଜଣାପଡ଼ିଛି ।