ପୁଅର ବିବାହ ପାଇଁ ୪ କିଲୋ ଓଜନର ନିମନ୍ତ୍ରଣ କାର୍ଡ ଛାପିଲେ ବ୍ଯବସାୟୀ

ନୂଆଦିଲ୍ଲୀ, ୧୬/୧୧: ( ସଂକେତ ଟିଭି) ସାରା ଦେଶରେ ଏବେ ବିବାହ ସିଜିନ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆଜିକାଲି ଜଣେ ଗୁଜରାଟୀ ବ୍ୟବସାୟୀଙ୍କ ପୁଅର ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଗୁଜରାଟୀ ବ୍ୟବସାୟୀ ମୁଲେଶଭାଇ ଉକନୀ ନିଜ ପୁଅର ବିବାହରେ ୪ କିଲୋ ଓଜନର କାର୍ଡ ଛାପିଛନ୍ତି । ଏହି ଅଜବ କାର୍ଡର ମୂଲ୍ୟ ୭ ହଜାର ଟଙ୍କା । ଏହି କାର୍ଡ ଦେଖିବାକୁ ମଧ୍ୟ ଅତ୍ୟନ୍ତ ସୁନ୍ଦର କାରଣ ଏଥିପାଇଁ ହାଲକା ଗୋଲାପୀ ରଙ୍ଗ ଚୟନ କରାଯାଇଛି ଏବଂ ଏହା ଏକ ବସ୍କ ଆକାରର । ତେବେ କାର୍ଡ ବକ୍ସଟି ଖୋଲିବା ପରେ ଆହୁରି ୪ଟି ଛୋଟ ବକ୍ସ ଦେଖିବାକୁ ମିଳୁଛି । ଏହି ବକ୍ସରେ ଡ୍ରାଏଫୁଟ୍ ଯଥା କାଜୁବାଦାମ, ପିସ୍ତା, କିଶମିସ ଏବଂ ଚକୋଲେଟ୍ ରଖାଯାଇଛି । ଏହାର ନିମନ୍ତ୍ରଣ କାର୍ଡର ଓଜନ ମୋଟ ୪ କିଲୋ ୨୮୦ ଗ୍ରାମ । କେବଳ ସେତିକି ନୁହେଁ କାର୍ଡ ଭିତରେ ୭ଟି ପେଜ୍ ମଧ୍ୟ ରହିଛି, ଯେଉଁଥିରେ ତିନି ଦିନ ବିବାହ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ରହିଛି । ତେବେ ଏହି ନିଆରା ଓ୍ବେଡିଂ କାର୍ଡର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।