CulturalFeaturedLatest

ଏଠାରେ ନାରୀ ବେଶରେ ପୂଜା କରନ୍ତି ପୁରୁଷ

ମୁମ୍ବାଇ :(ସଂକେତ ଟିଭି) ଭାରତରେ ଦେବୀଦେବତାଙ୍କ ପୂଜାକୁ ନେଇ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଏଥିମଧ୍ୟରୁ କେତେକ ପରମ୍ପରାର ରୀତିନୀତି ବହୁତ ଅଜବ ହୋଇଥାଏ । ସେହିପରି ପଶ୍ଚିମବଙ୍ଗର ହୁଗଳି ଜିଲ୍ଲାର ଚନ୍ଦନଗରରେ ପୁରୁଷମାନେ ଶାଢୀ ପିନ୍ଧି ପୂଜା କରିବାର ପରମ୍ପରା ରହିଛି । ତେବେ ଏହି ପରମ୍ପରା ୨୨୯ ବର୍ଷ ଧରି ଚାଲିଆସୁଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚନ୍ଦନନଗରରେ ମା ଦେବୀ ଜଗଧାତ୍ରୀଙ୍କ ପୂଜା ଆୟୋଜିତ ହୋଇଛି । ବଙ୍ଗାଳୀ ସଂସ୍କୃତିର ଏହି ଅଦ୍ଭୁତ ପରମ୍ପରା ମହିଳାମାନେ ନୁହେଁ ବରଂ ପୁରୁଷମାନେ ଶାଢୀ ପିନ୍ଧି ମାଙ୍କୁ ପୂଜା କରିଥାନ୍ତି । ବିସଜର୍ନ ଦିନ ମା ଜଗଧାତ୍ରୀଙ୍କୁ ସିନ୍ଦୁର ଏବଂ ପାନ ଦ୍ୱାରା ପୂଜା କରାଯାଏ ।

ଏହି ଅବସରରେ ଏବର୍ଷ ୧୩ ଜଣ ପୁରୁଷ ଏକ ସଙ୍ଗେ ଶାଢୀ ପିନ୍ଧି ମା ଜଗଧାତ୍ରୀଙ୍କୁ ବରଣ କରିଥିଲେ । ଶହ ଶହ ଭକ୍ତ ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ମଣ୍ଡପ ପରିସର ଭିତରେ ଏବଂ ବାହାରେ ଏକତ୍ରିତ ହୋଇଥିଲେ ।

ଚଳିତ ବର୍ଷର ପୂଜା କମିଟିର ସଦସ୍ୟ ଶ୍ରୀକାନ୍ତ ମଣ୍ଡଳ କହିଛନ୍ତି ଯେ ୨୨୯ବର୍ଷ ପୂର୍ବେ ଯେତେବଳେ ଇଂରେଜମାନେ କ୍ଷମତାରେ ଥିଲେ, ମହିଳାମାନେ ଭୟରେ ସନ୍ଧ୍ୟା ପରେ ଘରୁ ବାହାରୁ ନଥିଲେ । ସେହି ସମୟରେ ତାଙ୍କର ପୂର୍ବପୁରୁଷମାନେ ଶାଢୀ ପିନ୍ଧି ମାତା ଜଗଧାତ୍ରୀଙ୍କୁ ପୂଜା କରିଥିଲେ । ଏହାପରେ ଏହି ପରମ୍ପରା ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ପୁରୁଷମାନେ ଶାଢୀ ପିନ୍ଧନ୍ତି ଓ ଦେବୀଙ୍କୁ ପୂଜା କରିଆସୁଛନ୍ତି ।

ଆହୁରି ମଧ୍ୟ ପ୍ରଚଳନ କଥା ଅନୁଯାୟୀ ୨୫୦ ବର୍ଷ ପୂର୍ବେ ବଙ୍ଗର ରାଜା କୃଷ୍ଣଚନ୍ଦ୍ର ଦୀବାନ ଦାତାକାମ ସୁରଙ୍କ ଝିଅ ଘର ଚନ୍ଦନଗରରେ ଥିଲା, ଯେଉଁଠି ସେ ମା ଜଗଧାତ୍ରୀଙ୍କ ଆରାଧାନ କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ ଆର୍ଥିକ ପରିସ୍ଥିତି ଖରାପ ହେବାରୁ ରାଜାଙ୍କ ଝିଅ ଏହି ପୂଜାକୁ ତେତୁଲତଲା ଜଗଧାତ୍ରୀ ପୂଜା ପରେ ଅଞ୍ଚଳର ଲୋକଙ୍କୁ ହସ୍ତାନ୍ତର କରିଥଲେ ।

ସେହି ସମୟରେ ରାଜା ଏବଂ ଜମିଦାର ପରିବାରଙ୍କ ମହିଳାଙ୍କ ପାଇଁ ପର୍ଦ୍ଦା ପ୍ରଥା ପ୍ରଚଳନ ଥିଲା । ଯେକୌଣସି ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ମହିଳାଙ୍କୁ ଅନୁମତି ନଥିଲା । ତେଣୁ ଏହି କାରଣରୁ ଚନ୍ଦନନଗର ରାଜା ପରିବାରରେ ଦେବୀଙ୍କ ବିସର୍ଜନ ଦିନ ପୁରୁଷମାନେ ଶାଢୀ ପିନ୍ଧି ପୂଜା କଲେ । ସେବେଠାରୁ ଏହି ପ୍ରଥା ଜାରି ରହିଛି ।