ଦିଲ୍ଲୀରେ ଜବତ ହେଲା ୮୫ କିଲୋ ସୁନା, ୪ ଗିରଫ

ନୂଆଦିଲ୍ଲୀ ୨୧।୧୧: (ସଂକେତ ଟିଭି) ରାଜସ୍ୱ ଗୁଇନ୍ଦା ବିଭାଗ ଅଧିକାରୀମାନେ ରାଜଧାନୀ ଦିଲ୍ଲୀରେ ଚୋରାରେ ଚାଲାଣ କରାଯାଉଥିବା ୮୫.୫ କିଲୋଗ୍ରାମ ଓଜନର ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୪୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି ।

ଡିଆରଆଇ ସୂତ୍ରରୁ ପ୍ରକାଶ ଯେ ଏହି ସୁନାକୁ ବିମାନ ଯୋଗେ ହଂକଂରୁ ବିଦେଶୀ ନାଗରିକମାନେ ଭାରତକୁ ଆଣିଥିଲେ । ଏ ସମ୍ପର୍କରେ ସୂଚନା ମିଳିବା ପରେ ଡିଆରଆଇ ଅଧିକାରୀମାନଙ୍କର ଏକ ଦଳ “ମୋଲଟେନ ମେଟାଲ’ ଛଦ୍ମନାମରେ ଏହି ଚଢାଉ ଅଭିଯାନ ହାତକୁ ନେଇଥିଲେ ।

ଜଣାଯାଇଛି ଯେ ସୁନାକୁ ପ୍ରଥମେ ତରଳାଇ ଛଡ ଓ ସିଲିଣ୍ଡର ଆକୃତି କରାଯାଇଥିଲା । ପରେ ତାହାକୁ ବିଭିନ୍ନ ମେସିନର ଅଂଶ ଆକାରରେ କଟାଯାଇଥିଲା । ତାହାପରେ ଉକ୍ତ ଚୋରା ସୁନାକୁ ସ୍ଥାନୀୟ ବଜାରରେ ଅଳଙ୍କାର ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିଲା । ଡିଆରଆଇ ତଦନ୍ତକାରୀ ଦଳ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର କାର୍ଗୋ କଂପ୍ଲେକ୍ସରେ ଆମଦାନୀ କରାଯାଇଥିବା କେତେକ ପ୍ୟାକଟକୁ ଯାଞ୍ଚ କରିବା ପରେ ଏହା ଜଣାପଡିଥିଲା ।

ଯାଞ୍ଚ ସମୟରେ ସେଥିରେ ଟ୍ରାନ୍ସଫରମର ଫିଟିଙ୍ଗ କରାଯାଇଥିବା ଇଲେକଟ୍ରୋପ୍ଲେଟିଂ ମେସିନ ଥିବା ଲକ୍ଷ୍ୟ କରାଯାଇଥିଲା ଟ୍ରାନ୍ସଫରମରଗୁଡିକ ସୁନାରେ ତିଆରି କରାଯାଇ ତାହା ଉପରେ ନିକେଲର ଆସ୍ତରଣ ଦିଆଯାଇଥିଲା। ଏହାପରେ ଦିଲ୍ଲୀ, ଛତରପୁର,
ଦକ୍ଷିଣ ଦିଲ୍ଲୀ ଓ ଗୁରୁଗ୍ରାମ ଆଦି ସ୍ଥାନରେ ଚଢଉ କରାଯାଇ ୪ ବିଦେଶୀ ନାଗରିକଙ୍କ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଦକ୍ଷିଣ କୋରିଆ ନାଗରିକ ହୋଇଥିବାବେଳେ ଜଣେ ଚୀନ ଓ ଜଣେ ତାଇଓ୍ୱାନ ନାଗରିକ ବୋଲି ଜଣାଯାଇଛି ।