ପୁରୀରେ ହେବ ନାହିଁ ଆନ୍ତର୍ଜାତିକ ବିମାନ ବନ୍ଦର, ହେବ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ

ଝାରସୁଗୁଡା ୨୨/୧୧: (ସଂକେତ୍ ଟିଭି) ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ରାଜ୍ଯ ସରକାର ଦେବା କରିଆସୁଛନ୍ତି । ହେଲେ ପୁରୀରେ ଏକ ଗ୍ରୀନ ଫିଲ୍‌ଡ ଏୟାରପୋର୍ଟ ହେବ ବୋଲି ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଛନ୍ତି ।

ଆଜି ଝାରସୁଗୁଡ଼ାରେ ପାଳିତ ହୋଇଥିବା ଉଡ଼ାନ ଦିବସରେ ଯୋଗ ଦେବା ଅବସରରେ ସିନ୍ଧିଆ କହିଛନ୍ତି ଯେ, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାରଙ୍କୁ ରିପୋର୍ଟରେ ବିସ୍ତୁତ ଦିଆଯାଇଛି। ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ସିନ୍ଧିଆ କହିଛନ୍ତି।

ସିନ୍ଧିଆ କହିଛନ୍ତି ଯେ ଜୟପୁର ଓ ଉତ୍କେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।

ଗ୍ରୀନ ଫିଲଡ୍ ଏୟାର ପୋର୍ଟ କଣ ?

ଗ୍ରୀନଫିଲ୍ଡ’ ଶବ୍ଦଟି ସଫ୍ଟୱେୟାର ଇଞ୍ଜିନିୟରିଂରୁ ଉତ୍ପନ୍ନ । ଏହାର ଅର୍ଥ ଏକ ପ୍ରକଳ୍ପ ଯେଉଁଥିରେ ପୂର୍ବ କାର୍ଯ୍ୟ ଦ୍ୱାରା କୌଣସି ପ୍ରତିବନ୍ଧକ ନାହିଁ । ପାଖରେ ଥିବା ଏକ ବିମାନ ବନ୍ଦରର ଯାତାୟତର ଆବଶ୍ୟକତାକୁ ପୁରଣ କରିବା ପାଇଁ ଏହିପରି ବିମାନବନ୍ଦରଗୁଡିକ ନିର୍ମାଣ କରାଯାଏ । ଅର୍ଥାତ ଭୂବନେଶ୍ବର ବିମାନ ବନ୍ଦରର ଆବଶ୍ଯକତାକୁ ଏହି ବିମାନ ବନ୍ଦର ପୁରଣ କରିବ । ଏହା ସହିତ ଏହି ବିମାନ ବନ୍ଦରଟି ପୂର୍ବରୁ ବିକଶିତ କିମ୍ବା ଖାଲି ଗ୍ରୀନଫିଲ୍ଡ ଜମି ବ୍ୟବହାର କରି ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଦ୍ବାରା ପରିବେଶ ଉପରେ ମଧ୍ଯ କୌଣସି ପ୍ରଭାବ ପଡିନଥାଏ । ଏହି ଭଳି ଏୟାରପୋର୍ଟ ପିପିପି ମୋଡ୍ ରେ କରାଯାଇଥାଏ ।

ବର୍ତ୍ତମାନ ସୁଦ୍ଧା ଦେଶରେ ଛଅଟି ଗ୍ରୀନଫିଲ୍ଡ ବିମାନବନ୍ଦର କାର୍ଯ୍ଯକ୍ଷମ ରହିଛି । ସେଗୁଡିକ ହେଲା ମହାରାଷ୍ଟ୍ରର ସିରିଡି, ପଶ୍ଚିମବଙ୍ଗର ଦୁର୍ଗାପୁର, ସିକ୍କିମର ପାକିଓଙ୍ଗ, କେରଳର କୁନ୍ନୁର, ଆନ୍ଧ୍ରପ୍ରଦେଶର ଓରବାକାଲ ଏବଂ କର୍ଣ୍ଣାଟକର କାଲାବୁରାଗି । ସେହିପରି ଗୋଆର ମୋପା, ନଭି ମୁମ୍ବାଇ, କର୍ଣ୍ଣାଟକର ଗୁଲବର୍ଗା, ବିଜାପୁର, ସିମୋଗା, ମଧ୍ଯପ୍ରଦେଶରର ଦାଓ୍ବାରା, ପୁଡୁଚେରୀର କରାଇକଲ, ଗୁଜୁରାତର ଧୋଲେରା, ଆନ୍ଧ୍ରପ୍ରଦେଶର ଡାଗରଧତ୍ତି ଓ ଭୋଗେପୁରମ, ଉତ୍ତରପ୍ରଦେଶର ଖୁସିନଗର, ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ମଧ୍ଯ ଗ୍ରୀନଫିଲ୍ଡ ଏୟାରପୋର୍ଟ ରହିଛି । ତେବେ କେନ୍ଦ୍ର ସରକାର ଦେଶରେ ଆହୁରି 21ଟି ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରିବା ପାଇଁ ଯୋଜନା ରଖିଛନ୍ତି ।