ପଞ୍ଜାବର ପ୍ରତି ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦିଆଯିବ : କେଜ୍ରିଓ୍ବାଲଙ୍କ ନିର୍ବାଚନ ପ୍ରତିଶୃତି

ଚଣ୍ଡିଗଡ ୨୨/୧୧: (ସଂକେତ୍ ଟିଭି) ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌ ଲୋକଙ୍କୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଛି। ପ୍ରଥମେ ଶସ୍ତା ବିଜୁଳି ଆଉ ଏବେ ମହିଳାଙ୍କୁ ନେଇ ନୂଆ ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଏଥର ସେ ପ୍ରତିଶୃତି ଦେଇଛନ୍ତି ଯେ ଯଦି ପଞ୍ଜାବରେ ଆପ୍‌ ସରକାର ଗଠନ କରେ ତେବେ ୧୮ ବର୍ଷରୁ ଅଧିକ ବୟସର ପ୍ରତି ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦିଆଯିବ।

ପରିବାରରେ ଏକାଧିକ ମହିଳା ଥିଲେ ମଧ୍ୟ ସମସ୍ତଙ୍କୁ ୧୦୦୦ ଟଙ୍କା ଲେଖାଏଁ ମିଳିବ। ଭତ୍ତା ସହିତ ଏହି ଟଙ୍କା ମଧ୍ୟ ମିଳିବ। ଏହା ବିଶ୍ବର ସବୁଠୁ ବଡ଼ ନାରୀ ସଶକ୍ତିକରଣ ଅଭିଯାନ ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି।

ସେ କହିଛନ୍ତି ଯେ, ବିରୋଧୀ କହିବେ ଟଙ୍କା କେଉଁଠୁ ଆସିବ ? ଟଙ୍କା ମିଳିଯିବ। ମୁଖ୍ୟମନ୍ତ୍ରୀ ବିମାନ କିଣୁଛନ୍ତି। ମୁଁ କିଣି ନାହିଁ। ମୁଁ ଟିକେଟ୍‌ ବି ମାଗଣା କରିଦେଇଛି। କେଜ୍ରିଓ୍ବାଲ ଯାହା କହେ କରେ। ଏଥର ନିର୍ବାଚନ ପଞ୍ଜାବର ଭବିଷ୍ୟତ ବଦଳାଇପାରେ ବୋଲି ​‌ସେ କହିଛନ୍ତି ।

ସେ କହିଛନ୍ତି ଯେ ପଞ୍ଜାବରେ ଜଣେ ନକଲି କେଜ୍ରିଓ୍ବାଲ ବୁଲୁଛି । ଯିଏକି ବିଜୁଳି ବିଲ ଛାଡ଼ କରିବା ନେଇ ଘୋଷଣା କରୁଛି। କିନ୍ତୁ କାହାକୁ ମାଗଣା ବିଜୁଳି ମିଳିଛି କହିପାରିବ କି ? ଦେଶରେ କେବଳ କେଜ୍ରିଓ୍ବାଲ୍‌ ହିଁ ବିଜୁଳି ବିଲ୍‌ ଛାଡ଼ କରିପାରେ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ୍‌।