ବାବା ବେଶରେ ଆସି ଦିନ ଦ୍ବିପ୍ରହରରେ ମହିଳାଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବସ୍ତା ୨୩।୧୧: (ପ୍ରଶାନ୍ତ ସେନାପତି) ବାବା ବେଶରେ ଆସି ମହିଳାଙ୍କ ପାଖରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ବାବା ବେଶରେ ଆସି ଜଳେଶ୍ବର ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ଜଣେ ମହିଳା ଙ୍କ ହସ୍ତରେଖା ଦେଖିଥିଲେ । ଭବିଷ୍ଯତ କହିବା ବାହାନାରେ ପିନ୍ଧିଥିବା ସମସ୍ତ ସୂନା ଗହଣା ଖୋଲି ବ୍ଯାଗ ରେ ରଖିବାକୁ କହିଥିଲେ । ସେମାନଙ୍କ କଥାରେ ପଡି ମହିଳା ଜଣଙ୍କ ସୂନା ଗହଣା ଖୋଲି ବ୍ଯାଗ ରେ ରଖିଥିଲେ । ଏହାର ସୂଯୋଗ ନେଇ ଯୁବକ ଦୁଇ ଜଣ ମହିଳା ଙ୍କ ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ନେଇ ବାଇକ୍ ରେ ଫେରାର ହୋଇଯାଇଥିଲେ । ତେବେ ମହିଳାଙ୍କ କାନ ଫୁଲ, ହାତ ବଳା, ଚେନ୍ ଏବଂ ବିଭିନ୍ନ ଅଳଙ୍କାର କୁ ମିଶାଇ ପ୍ରାୟ ଅଡେଇ ଲକ୍ଷରୁ ଅଧିକ ଟଙ୍କା ର ଗହଣା ଏବଂ ପର୍ସରେ ଥିବା ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ଜଣା ପଡିଛି । ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।