ଗୌତମ ଗମ୍ଭୀରଙ୍କୁ ଆଇଏସ୍‌ଆଇଏସ୍‌ ରୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଳୀ ୨୪।୧୧ : (ସଂକେତ ଟିଭି) ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ଇ-ମେଲ ମାଧ୍ୟମରେ ଗମ୍ଭୀରଙ୍କୁ ଧମକ ଦିଆଯାଇଥିବା ଜଣାପଡିଛି । ଏନେଇ ସେ ନିଜେ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନ ଏବଂ ଜିଲ୍ଲା ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଗମ୍ଭୀର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ‘‘ଆଇଏସ୍‌ଆଇଏସ୍‌ କାଶ୍ମୀର’ରୁ ହତ୍ୟା ଧମକ ମିଳିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ପୋଲିସ ମେଲ ପଠାଉଥିବା ବ୍ୟକ୍ତିଙ୍କ ଆଇପି ଠିକଣା ବାହାର କରି ତଦନ୍ତ କରୁଛି । ଡିସିପି ଶ୍ୱେତା ଚୌହାନ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି । ଏହି ବିଷୟରେ ସୂଚନା ପାଇବା ମାତ୍ରେ ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି ।

ସୂଚନାନୁସାରେ, ବିଜେପି ସାଂସଦ ଗୌତମ ଗମ୍ଭୀର ରାଜେନ୍ଦ୍ର ନଗର ଅଞ୍ଚଳରେ ପରିବାର ସହ ରୁହନ୍ତି । ସେ ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ଆଇଏସଆଇଏସ୍ କାଶ୍ମୀରରୁ ଏକ ମେଲ ମାଧ୍ୟମରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏଥିରେ ତାଙ୍କ ସହ ତାଙ୍କ ପରିବାରର କ୍ଷତି ହେବାର ଆଶଙ୍କା ଥିବା ସେ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା। ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ଏକ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ଭାଇ ସମ୍ବୋଧିତ କରିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ଗମ୍ଭୀର।