ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ କ୍ରିକେଟ୍ ସିରିଜରେ ଯୁବ ଖେଳାଳିଙ୍କ ଅବଦାନ ପ୍ରଶଂସନୀୟ: ଦ୍ରାବିଡ

ନୂଆଦିଲ୍ଲୀ ୨୪।୧୧: (ସଂକେତ ଟିଭି) ଭାରତୀୟ କ୍ରିକେଟ ଦଳ ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ କ୍ରିକେଟ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ । କାରଣ ସେମାନେ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିଲେ ହେଁ ଏହି ସିରିଜରେ ଅଭିଜ୍ଞ ଖେଳାଳିଙ୍କ ପରି ପ୍ରଦର୍ଶନ କରିବା ଫଳରେ ଭାରତ ୩-୦ରେ ସିରିଜ ଜିତି ପାରିଲା ।

ସେହିପରି ଏକାଧିକ ଖେଳାଳି ଏହି ସିରିଜରେ ଜୀବନର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସୁଯୋଗ ପାଇ ଥିଲେ । ସେମାନେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିବା ଦିଗରେ କୌଣସି ତ୍ରୁଟି କରି ନାହାନ୍ତି । ଆଇପିଏଲରେ ସଫଳ ପ୍ରଦର୍ଶନ କରିଥିବା ଖେଳାଳି ମାନେ ଏହି ସିରିଜରେ ଅନୁରୂକରିସ୍ମା ଦେଖାଇବା ଅତି ଆନ୍ଦର ବିଷୟ ।

ସବୁଠାରୁ ବଡ କଥା ହେଲା ଯେ କୋହଲି ,ଯଶପ୍ରୀତ ବୁମରା ,ରବିନ୍ଦ୍ର ଜାଡେଜାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆ ଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ସ୍ଥାନ ପାଇଥିବା ଖେଳାଳି ମାନେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପୂର୍ଣ୍ଣ ସମ୍ମାନ ଦେଇ ନିଜର ଦକ୍ଷତା ଦେଖାଇ ପାରିଛନ୍ତି । ଆଉ ଅଳ୍ପ ଦିନ ପରେ ପୁଣି ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ତେଣୁ ଆଜିଠାରୁ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକ ।

ଆଇପିଏଲରେ ସଫଳ ହୋଇଥିବା ଭେଙ୍କଟେଶ ଆୟାର ଓ ହର୍ଶଲ ପଟେଲ ପ୍ରମୁଖ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସଫଳ ହୋଇଥିବା ବେଳେ ଆଗାମୀ ଟି-୨୦ ବିଶ୍ୱକପ ଖେଳିବା ପାଇଁ ସେମାନେ ହକଦାର ହୋଇ ପାରିବେ ବୋଲି ବିଶ୍ୱାସ । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପାଇଁ ବଡ ସମସ୍ୟା ହେଉଛି ଯେ ୟୁନାଇଟେଡ ଆରବ ଏମିରେଟ୍ସରେ ବିଶ୍ୱକପ ଫାଇନାଲ ଖେଳିବାର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ପୁଣି ଆଉ ଏକ ସିରିଜ ଖେଳିବା ଅତି କଷ୍ଟକର ।

ସେହିପରି ୫ ଦିନ ବ୍ୟବଧାନରେ ୩ ମ୍ୟାଚ ଖେଳିବା ଏତେ ସହଜ ନ ଥିଲା । ତେବେ ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଉପରେ ଆମକୁ ବର୍ତ୍ତମାନ ଧ୍ୟାନ ଦେବାକୁ ପଡିବ ବୋଲି କୋଚ ଦ୍ରାବିଡ କହିଛନ୍ତି ।