୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମିଳିଲା କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ ୨୪/୧୧: (ସଂକେତ ଟିଭି) କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ଆଜି କ୍ୟାବିନେଟ୍‌ ମୋହର ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ଆଇନ ରଦ୍ଧ ନେଇ ମଞ୍ଜୁରୀ ମିଳିଛି ।

ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତିନି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।

ନଭେମ୍ବର 26, 2020 ରେ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରଣୟନ କରିବା ପରଠାରୁ ଦେଶବ୍ୟାପୀ କୃଷି ଆନ୍ଦୋଳନ ହୋଇଥିଲା । ନଭେମ୍ବର ୧୯, ୨୦୨୧ ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ମଧ୍ୟ ଆନ୍ଦୋଳନ ହଟିନାହିଁ । ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନ ସେମାନଙ୍କର ଆନ୍ଦୋଳନ ବନ୍ଦ ନେଇ ଘୋଷଣା କରି ନାହାଁନ୍ତି ।

ଅନ୍ୟପଟେ ନଭେମ୍ବର 29 ରେ ସଂସଦ ଅଧିବେଶନର ପ୍ରଥମ ଦିନରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁ ଥିବାବେଳେ ଆଜି ଏହି ୩ ଆଇନ ରଦ୍ଦ ନେଇ କ୍ୟାବିନେଟର ମୋହର ବାଜିଛି । ତେବେ ଆନୁଷ୍ଠାନିକ ତଥା ଆଇନଗତ ଭାବେ ଶୀତ ଅଧିବେଶନରେ ଆଇନ ରଦ୍ଦ ହେବା ପରେ ଆନ୍ଦୋଳନ ବନ୍ଦ ହେବ ବୋଲି କୃଷକ ସଂଗଠନ କହିଛି ।