ବିରାଟ କୋହଲିଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଛି ଶତକ

ନୂଆଦିଲ୍ଲୀ ୨୪।୧୧: (ସଂକେତ ଟିଭି) ଭାରତୀୟ ଟେଷ୍ଟ ଓ ଦିନିକିଆ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଫର୍ମକୁ ନେଇ ଜାରି ରହିଛି ଚର୍ଚ୍ଚା । କାରଣ ଏକଦା ରନ ମେସିନ ଭାବେ ପରିଚିତ ଥିବା କୋହଲି ଗତ ଦୁଇ ବର୍ଷଧରି କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରିନାହାନ୍ତି । ବାଂଲାଦେଶ ବିରୋଧରେ ଶେଷ ଶତକ ହାସଲ କରିଥିଲେ କୋହଲି ।

କୋଲକାତା ଇଡେନ ଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ୨୦୧୯ ବାଂଲାଦେଶ ବିପକ୍ଷ ଦିବାରାତ୍ର ପିଙ୍କ୍ ବଲ ଟେଷ୍ଟରେ କୋହଲିଙ୍କ ବ୍ୟାଟରୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ଶତକ । ଏହି ମ୍ୟାଚ ୨୦୧୯ ନଭେମ୍ବର ୨୨ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନ (ନଭେମ୍ବର ୨୩) କୋହଲି ହାସଲ କରିଥିଲେ ଶତକ । ସେ ୧୬୯ ବଲ ଖେଳି ୧୨ ଚୌକା ସହାୟତାରେ କରିଥିଲେ ୧୩୬ ରନ । ଏହି ଶତକ ହାସଲ କରିବାର ଆଜକୁ ଦୁଇ ବର୍ଷ ପୂରିଲା । ଏହା ପରେ ତାଙ୍କ ବ୍ୟାଟରୁ ଆଉ କେବେ ଏପରି ଇନିଂସ ଦେଖିବାକୁ ମିଳିନାହିଁ । କୋହଲିଙ୍କ ଟେଷ୍ଟ ଜୀବନର ଏହା ଥିଲା ୨୭ତମ ଶତକ ।

ସେହିପରି ଦିନିକିଆ କ୍ରିକେଟରେ ହାସଲ କରିଥିବା ୪୩ ତମ ଶତକ ପରେ ଆଉ କେବେ ଏହି ଫର୍ମାଟରେ ଶତକ ହାସଲ କରି ପାରି ନାହାନ୍ତି । ଅନ୍ୟ ପକ୍ଷରେ କୋହଲି ଟି-୨୦ ଫର୍ମାଟରେ ଶତକ ଅର୍ଜନ କରିବା ସମ୍ଭବ ହୋଇ ପାରିନି । ଏହା ପରେ ୧୨ ଟେଷ୍ଟ ଖେଳିଥିଲେ ହେଁ ଶତକ ତାଙ୍କ ପାଇଁ ବଡ ଦୁଃସ୍ୱପ୍ନ ହୋଇ ଯାଇଛି । ଏହି ବିଫଳତା ନେଇ ତାଙ୍କର ଟେଷ୍ଟ ବ୍ୟାଟିଂ ହାରାହାରି ୨୬.୩୦କୁ ଖସି ଆସିଛି ।

ସେହିପରି ୨୦୧୯ ଡିସେମ୍ବର ମାସରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଆଡିଲେଡ ଟେଷ୍ଟରେ ସର୍ବାଧିକ ୭୪ ରନ କରିଥିବା ବେଳେ ପରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ତିନି ଟେଷ୍ଟର ତିନି ଇନିଂସରେ ଖାତା ଖୋଲି ପାରି ନ ଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ୧୫ ଦିନିକିଆ ଓ ୨୩ ଟି୦୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ହେଁ ଶତକ ଅର୍ଜନ କରି ପାରି ନାହାନ୍ତି । ମାତ୍ର ୧୫ ଦିନିକିଆ ଇନିଂସରେ ୬୪୯ ରନ କରିଛନ୍ତି । ଏହି ଫର୍ମାଟରେ ତାଙ୍କର ରନ ସଂଗ୍ରହ ହାର ୪୩.୨୬ ଥିବା ବେଳେ ୨୦ ଟି-୨୦ ଖେଳି ୭୭୭ ରନ କରିଛନ୍ତି । ଏହି ଫର୍ମାଟରେ ତାଙ୍କର ରନ ସଂଗହ ହାର ୫୯.୭୬ ରହିଛି ।

କୋହଲି ଚଳିତ ନଭେମ୍ବର ୫ ତାରିଖ ଦିନ ୩୩ ବର୍ଷରେ ପାଦ ଥାପିଛନ୍ତି । ଏହି ବୟସ ବେଳକୁ ସଚିନ ତେନ୍ଦୁଲକର ୭୪ ଶତକ ଅର୍ଜନ କରିଥିବା ବେଳେ ଅବସର ନେବା ବେଳକୁ ଟେଷ୍ଟ ଓ ଦିନିକିଆରେ ୧୦୦ ଶତକ ହାସଲ କରିଥିଲେ । ତେବେ କୋହଲି ପୁଣି କେବେ ଫର୍ମକୁ ଫେରି ଶତକ ଅର୍ଜନ କରିବେ ତାହା ବର୍ତ୍ତମାନ ବଡ ଚର୍ଚ୍ଚାର ବିଷୟ ହୋଇଛି ।

ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବେ ନାହିଁ କୋହଲି । ମାତ୍ର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ସେ ଦଳର ନେତୃତ୍ୱ ନେବେ। ତେଣୁ ଏହି ସୁଯୋଗରେ ଆଉ ଏକ ଶତକ ଅର୍ଜନ କରି ପାରିବେ ବୋଲି ଆଶା ।