ଡିସେମ୍ବର ୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଭାରତୀୟ କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ ୨୫।୧୧: (ସଂକେତ ଟିଭି): ଚଳିତ ଭାରତ-ନୁ୍ୟଜିଲାଣ୍ଡ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜି ତାରିଖରୁ କାନପୁରରେ ଆରମ୍ଭ ହୋଇଛି । ସେହିପରି ଦ୍ୱିତୀୟ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପରେ ତା ପରଦିନ ଅର୍ଥାତ ଡିସେମ୍ବର ୮ ତାରିଖ ଦିନ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବେ ।

ଦକ୍ଷିଣ ଆଫିକା ବିରୋଧରେ ତିନି ଟେଷ୍ଟ ମ୍ୟାଚ ସହିତ ତିନି ଦିନିକିଆ ଓ ୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଭାରତୀୟ ଏ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି । ଟି-୨୦ ସିରିଜରେ ଭାରତ ୩-୦ କ୍ଳିନ୍ ସୁଇପ୍ କରିଥିବା ବେଳେ ଟେଷ୍ଟ ସିରିଜରେ ଦ୍ରାବିଡଙ୍କ ଦକ୍ଷତାର ପ୍ରମାଣ ମିଳିବ । ଘରୋଇ ସିରିଜରେ ଭାରତ ସମସ୍ତ ବିଦେଶୀ ଦଳ ବିରୋଧରେ ଭଲ ପ୍ରଦର୍ଶନ କରି ଆସୁଥିବା ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପୂର୍ବ ସଫଳତା ଦୋହରାଇ ପାରିବେ ବୋଲି ଅନୁମାନ ।

ମାତ୍ର ଦଳର ଅଧିକାଂଶ ଖେଳାଳି ଏହି ସିରିଜ ପାଇଁ ବିଶ୍ରାମ ନେଉ ଥିବାରୁ ଯୁବ ଖେଳାଳିଙ୍କୁ ନେଇ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଲଢେ଼ଇ କରିବ । ଅବଶ୍ୟ ଏହା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଅନ୍ତର୍ଗତ ହୋଇ ଥିବାରୁ ଭାରତ ପାଇଁ ଏହି ସିରିଜର ଯଥେଷ୍ଟ ଗୁରୁତ୍ୱ ରହିଛି । ସେହିପରି ଆଗାମୀ ଦକ୍ଷିଣ ଆଫିକା ବିପକ୍ଷ ସିରିଜ ଭାରତ ପାଇଁ ମସ୍ତବଡ ଚାଲେଞ୍ଜ ହେବ ବୋଲି ଅନୁମାନ କରାଯାଏ ।