ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ସମୟରେ ଅଣ୍ଡାମାଡ ଭୟ, ସୁରକ୍ଷା ବ୍ଯବସ୍ଥା କଡାକଡି

ବାଲେଶ୍ବର ୨୫।୧୧: (ସଂକେତ ଟିଭି)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୧ଟାରେ ବାଲେଶ୍ୱରର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିବେ। ଏହା ପରେ ଜିଲ୍ଲାର ୧୨ଟି ବ୍ଲକ୍‌ରେ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ।

ତେବେ ଏହି ଗସ୍ତ ସମୟରେ ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ ର ଭୟ ରହିଛି । କଳାହାଣ୍ଡି ମହାଲିଙ୍ଗ ପବ୍ଲିକ ସ୍କୁଲ ଅଧ୍ଯକ୍ଷା ମମିତା ମେହେର ହତ୍ଯା ଘଟଣାରେ ରାଜ୍ଯ ବ୍ଯାପି ସମସ୍ତ ସ୍ଥାନରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି କର୍ମୀମାନେ ବିଜେଡି ମନ୍ତ୍ରୀଙ୍କ ଅଣ୍ଡାମାଡ କରୁଛନ୍ତି । ବାଲେଶ୍ବରରେ ମଧ୍ଯ ଅଣ୍ଡାମାଡ ହେବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବାଲେଶ୍ବର ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୨୨ ଜଣ ଇନ୍ସପେକ୍ଟର, ୯୪ଜଣ ଏସ୍‌ଆଇ, ଏଏସ୍‌ଆଇଙ୍କ ସମେତ ୨୫ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଛି । ଏଥିସହିତ ତାମୁଳିଆ ବ୍ରିଜ୍‌, ଫୁଲାଡ଼ି ଛକ, ସମଲପୁର ଛକ, ଟେକ୍ନିକାଲ ଫିଲ୍ଡ, ମଠସାହି ଛକ ପ୍ରଭୃତି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୋଲିସ ଲାଇନ୍‌ ଛକ, ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ, ଟେକ୍ନିକାଲ ଛକ, ଷ୍ଟେସନ୍‌ ଛକ ଦେଇ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି ।