ଭାରତ ନ୍ୟୁଜିଲାଣ୍ଡ ଟେଷ୍ଟର ୩ୟ ଦିନ: ୨୯୬ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ଭାରତ ୧୪/୧

କାନପୁର ୨୭।୧୧: (ସଂକେତ ଟିଭି): କାନୁପରରେ ଚାଲିଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ସେପଟେ ଭାରତ ନିଜ ଦ୍ବିତୀୟ ଇନିଂସ ବ୍ଯାଟିଂ ଆରମ୍ଭ କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୪ରନ । ପ୍ରଥମରୁ ଶୁଭମାନ ଗିଲ୍‌ ମାତ୍ର ୧ରନକରି ଆଉଟ ହୋଇଛନ୍ତି । ମୟଙ୍କ ଅଗ୍ରଓ୍ବାଲ ୪ରନ ଏବଂ ଚେତେଶ୍ବର ପୁଜାରା ୯ରନ କରି ଅପରାଜିତ ଅଛନ୍ତି ।

ଦ୍ବିତୀୟ ଦିନ ୧୨୯/୦ରୁ ତୃତୀୟ ଦିନ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ଦ୍ବିତୀୟ ଦିନରେ ଭଲ ଖେଳ ପ୍ରଦର୍ଶନ କରିଥିବା ନ୍ଯୁଜିଲାଣ୍ଡ ତୃତୀୟ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ଟମ୍‌ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଶୀଘ୍ର ଆଉଟ ହେବାପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡିଥିଲା। ଲାଥାମ୍‌ ବ୍ୟକ୍ତିଗତ ୯୫ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ୍‌ ୮୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୮ରନ କରି ଆଉଟ ହୋଇଥିବା ବେଳେ ଅଭିଜ୍ଞ ରସ୍‌ ଟେଲର ୧୧ ରନ, ହେନରୀ ନିକୋଲସ୍‌ ୨ରନ, ରଚିନ୍‌ ରବିନ୍ଦ୍ର ୧୩ ରନ, ଟମ୍‌ ବ୍ଲୁଣ୍ଡେଲ ୧୩ରନ, କାଇଲ୍‌ ଜିମିସନ୍‌ ୨୩ରନ, ଟିମ ସାଉଦୀ ୫ରନ, ଓ୍ବିଲ୍‌ ସମରଭିଲ୍ଲେ ୬ରନ କରି ଆଉଟ ହୋଇଛନ୍ତି । ଏଜାଜ୍‌ ପଟେଲ ୫ରନ କରି ଅପରାଜି ଅଛନ୍ତି । ଅକ୍ଷର ପଟେଲ ୫ ଓ୍ବିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ରବିଚନ୍ଦ୍ରନ ଅଶ୍ବିନ ୩ ଓ୍ବିକେଟ ନେଇଥିବା ବେଳେ, ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ୩୪୫ ରନରେ ଅଲଆଉଟ ହୋଇଥିଲା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୩ରନ ଅଗ୍ରଣୀ ରହିଛି ।