୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା ୨୯।୧୧: ( ପ୍ରଶାନ୍ତ ସେନାପତି) ବାଲେଶ୍ଵର ଜିଲ୍ଲା ଜଳେଶ୍ବରରୁ ପୁଣି ଧଳା ଜହର ଜବତ ହୋଇଛି । ଜଳେଶ୍ବର ଶାସନବାଡ଼ ଅଞ୍ଚଳ ରେ ବିଳମ୍ବିତ ରାତିରେ ଜଳେଶ୍ବର ପୋଲିସ ଚଢ଼ାଉ କରି ୪୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣ କୁ ଗିରଫ କରାଯାଇଛି । ଜବତ୍ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ଯୁବକ ଜଣକ ସେହି ଗ୍ରାମର ଶେକ ସୈଫ ଅଲ୍ଲୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ଵର ପୋଲିସର ଏକ ୨୦ ଜଣିଆ ଟିମ୍ ଗତକାଲି ବିଳମ୍ବିତ ରାତିରେ ଶାସନବାଡ଼ ଗ୍ରାମରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଶାସନବାଡ଼ ଗ୍ରାମର ସେକ ସୈଫ ଅଲ୍ଲୀଙ୍କ ଘରେ ବିପୁଳ ପରିମାଣରେ ବ୍ରାଉନସୁଗାର ଥିବାର ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଏକ ୨୦ ଜଣିଆ ପୋଲିସ ଟିମ୍ ସେକ ସୈଫ ଅଲ୍ଲୀଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଘରର ଏକାଧିକ ସ୍ଥାନରୁ ମୋଟ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ସେକ ସୈଫ ଅଲ୍ଲୀଙ୍କୁ ଗିରଫ କରାଯାଇ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଜେରା କରୁଛି ।