୧୪ ଏପ୍ରିଲରେ ଆମିର ଖାନଙ୍କ ଫିଲ୍ମ ଲାଲ୍ ସିଂହ ଚଡଢାକୁ ଟକ୍କର ଦେବ କେଜିଏଫ୍-୨

ନୂଆଦିଲ୍ଲୀ ୩୦।୧୧: (ସଂକେତ ଟିଭି) ବଲିଉଡ୍ ସୁପରଷ୍ଟାର ଆମିର ଖାନ ଏବଂ ଅଭିନେତ୍ରୀ କରୀନା କପୁର ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ ଲାଲ୍ ସିଂହ ଚଡଢା ୧୪ ଏପ୍ରିଲ ୨୦୨୨ରେ ସିନେମାଘରେ ମୁକ୍ତିଲାଭ କରିବ । ସେହି ଦିନ ବହୁପ୍ରତିକ୍ଷୀତ କନ୍ନଡ ଅଭିନେତା ୟଶଙ୍କ ଫିଲ୍ମ କେଜିଏଫ୍-୨ର ମଧ୍ୟ ରିଲିଜ୍ ହେବ । ଦୁଇଟି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ହେଲେ ଏହି ଟକ୍କର ଯୋଗୁଁ ଆମିର ଖାନ କେଜିଏଫ୍-୨ର ନିର୍ମାତା ଏବଂ ନାୟକ ୟଶଙ୍କୁ କ୍ଷମା ମାଗିଛନ୍ତି ।

ରିପୋର୍ଟ ଅନୁଯାୟୀ ଯେତେବେଳେ ଅଭିନେତା ଆମିରଙ୍କୁ ଏସମ୍ପର୍କରେ ଜଣାପଡ଼ିଲା ସେ ଅଭିନେତା ୟଶଙ୍କୁ ଫୋନ କରି କ୍ଷମା ମାଗିଛନ୍ତି । ଆମିର କହିଛନ୍ତି ଯେ ୟଶଙ୍କୁ ତାଙ୍କ ଯୋଜନା ସମ୍ପର୍କରେ ଜଣାଇଛନ୍ତି । ଫିଲ୍ମ ଉପରେ କେତେକ କାମ ବାକି ଥିବାରୁ ରିଲିଜ୍ ତାରିଖକୁ ଘୁଞ୍ଚାଯାଇଥିବା ଆମିର ସଫେଇ ଦେଇଛନ୍ତି ।

ଆମିର ଆହୁରି ମଧ୍ୟ କହିଛନ୍ତି ଯେ କେଜିଏଫ୍ ଏକ ବ୍ରାଣ୍ଡ୍, ତେଣୁ ଲୋକମାନେ ଏହାକୁ ଦେଖିବା ପାଇଁ ନିଶ୍ଚିତ ଯିବେ । ସେପଟେ ଲାଲ ସିଂହ ଚଡଢା ଏକ ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଛି । ତେଣୁ ଉଭୟ ଫିଲ୍ମର କଲେକ୍ସନ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ । ଏହାସହ ୧୪ ଏପ୍ରିଲକୁ ଆମିର ଥିଏଟରରେ କେଜିଏଫ୍ ଦେଖିବାକୁ ଯିବେ ବୋଲି କହିଛନ୍ତି ।

ସେପଟେ ସୂତ୍ରରୁ ଜଣାପଡ଼ିଛି ଯେ ବ୍ଲକବଷ୍ଟର ଫିଲ୍ମ ପିକେ ପରେ ପୁଣି ଥରେ ଏକାଠି ନଜର ଆସିବେ ଆମିର ଖାନ ଏବଂ ରଣବୀର କପୁର । ଏନେଇ ଏପର୍ଯ୍ୟନ୍ତ କିଛି ଅପଡେଟ୍ ମିଳିନାହିଁ । କିନ୍ତୁ ଖବର ମିଳିଛି ଯେ ଆମିର ଏବଂ ରଣବୀରଙ୍କୁ ଏକ ସ୍କ୍ରିଫଟ ଖୁବ ପସନ୍ଦ ଆସିଯାଇଛି । ଫିଲ୍ମଟି ୨୦୨୨ରେ ଫ୍ଲୋର ଉପରକୁ ଆସିବ ବୋଲି ମଧ୍ୟ ଜଣାପଡ଼ିଛି ।