ଓମିକ୍ରୋନ ଭୟ: ଭାରତରେ ଦିଆଯାଇପାରେ ବୁଷ୍ଟର୍ ଡୋଜ୍

ନୂଆଦିଲ୍ଲୀ ୦୧।୧୨ : (ସଂକେତ ଟିଭି) ମହାମାରୀ କରୋନାର ମାରତ୍ମକ ଭାରିଏଣ୍ଟ ଓମିକ୍ରନକୁ ନେଇ ଚାରିଆଡେ଼ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନାହିଁ । କିନ୍ତୁ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହାର ବିପଦକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରୁନି । ଏସବୁ ଭିତରେ କରୋନା ବିରୋଧୀ ଟିକାକରଣକୁ ନେଇ ବଡ଼ ସୂଚନା ମିଳିଛି । ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟକୁ ମାତ ଦେବା ପାଇଁ ଖୁବଶୀଘ୍ର ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇପାରେ । ତେବେ କେବଳ କିଛି ସ୍ୱତନ୍ତ୍ର ମାମଲାରେ ହିଁ ବୁଷ୍ଟର ଡୋଜ୍ ର ବ୍ୟବହାର ହେବ । ଦେଶର କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ମାମଲା ପାଇଁ ଟିକାର ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ୍ ର ବ୍ୟବହାର କରାଯାଇ ପାରେ । ଏଥିପାଇଁ ନୀତି ନିର୍ଦ୍ଧାରଣ ମଧ୍ୟ କରାଯିବ । ସମସ୍ତଙ୍କୁ ଏବେ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ନାହିଁ । ତାଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ୍ ସହ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯିବ । ପ୍ରାୟ ୪୪ କୋଟି ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗୃପ ଗାଇଡଲାଇନ ଜାରି କରିବ । ପ୍ରାଥମିକ ଅବସ୍ଥାରେ ବହୁବିଧି ରୋଗରେ ପୀଡ଼ିତ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା ହେବ ବୋଲି ଡା ଅରୋରା କହିଛନ୍ତି ।

ବିଭିନ୍ନ ଦେଶରେ ଏବେ ବରିଷ୍ଠ ନାଗରିକମାନଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯାଉଛି । ବିଶେଷ କରି ନୂଆ ଭାରିଏଣ୍ଟ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ଭାରତରେ ବୁଷ୍ଟର ଡୋଜ୍ ର ବ୍ୟବହାର ସଂମ୍ପର୍କରେ ଡା ଅରୋରା କହିଛନ୍ତି, “ବୁଷ୍ଟର ଡୋଜ୍ ର ଅର୍ଥ ୯୪ କୋଟି ଡୋଜ୍ । ଏହା କେବେ ହେଲେ ରାତାରାତି ସମ୍ଭବ ନୁହେଁ । ଏଥିପାଇଁ ଉପଯୁକ୍ତ ପ୍ରସ୍ତୁତି ଦରକାର ।” ତେବେ ଦେଶରେ କରୋନା ଟିକାର ଅଭାବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୨ରୁ ୧୫ କୋଟି ଲୋକ ଟିକାର ଗୋଟିଏ ହେଲେ ଡୋଜ୍ ନେଇନାହାନ୍ତି । ସେହିପରି ୩୦ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଏ ସମ୍ପର୍କରେ ସେ କହିଛନ୍ତି, ସେମାନଙ୍କର ଟିକାକରଣ ଜରୁରୀ । ସେମାନଙ୍କୁ ଟିକା ନେବାକୁ ସବୁ ପ୍ରକାରର ବ୍ୟବସ୍ଥା ହେବା ଉଚିତ । ଲୋକମାନେ ମଧ୍ୟ କରୋନା ବିରୋଧରେ ଟିକା ନିଅନ୍ତୁ । ଏବେ ଦେଶରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ଟିକା ଉପରେ ନୂଆ ଭାରିଏଣ୍ଟ କ’ଣ ପ୍ରଭାବ ପକାଉଛି, ତାହା ଜଣାପଡ଼ିନି ।