ବ୍ୟାପିଲା ଓମିକ୍ରନ, ବାଙ୍ଗଲୋର, ଗୁଜୁରାଟ ପରେ ମୁମ୍ବାଇରୁ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ
ନୂଆଦିଲ୍ଲୀ, ୦୪/୧୨: (ସଂକେତ ଟିଭି) ଦେଶରେ ଧିରେ ଧିରେ ବ୍ୟାପିବାରେ ଲାଗିଛି ଓମିକ୍ରନ । କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛି । ଏ ପର୍ଯ୍ୟନ୍ତ ଦେଶର ତିନୋଟି ରାଜ୍ୟରେ ୪ କେସ୍ ସାମ୍ନାକୁ ଆସି ସାରିଛି।
ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ମୁମ୍ବାଇରେ ଚିହ୍ନଟ ହୋଇଥିବା ୩୩ ବର୍ଷୀୟ ଏହି ବ୍ୟକ୍ତି ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ରାଜଧାନୀ କେପଟାଉନରୁ ଫେରିଥିଲେ। ସେ ଦୁବାଇ ଏବଂ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ। ଓମିକ୍ରନ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ କୌଣସି ଟିକା ମଧ୍ୟ ନେଇ ନାହାନ୍ତି। ତେବେ ଆଶ୍ଵସ୍ତିକର କଥା ହେଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକ କରୋନା ନେଗେଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ-ମୁମ୍ବାଇ ବିମାନରେ ତାଙ୍କ ସହ ଯାତ୍ରା କରିଥିବା ୨୫ ଯାତ୍ରୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି।
ସଂକ୍ରମିତ ରୋଗୀ ମୁମ୍ବାଇ ସନ୍ନିକଟ କଲ୍ୟାଣ ଡୋମ୍ବିବଲି ନଗରପାଳିକା ଅଞ୍ଚଳକୁ ଆସିଥିଲେ। ଏଠାରେ ଯାଞ୍ଚ ସମୟରେ ହିଁ ସେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ଆଉ ଏକ ମାମଲା ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ମାମଲା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ମହାରାଷ୍ଟ୍ରକୁ ଶୁକ୍ରବାର ସୁଦ୍ଧା ୨ ହଜାର ୮୨୧ ଜଣ ହାଇ ରିସ୍କ ଦେଶରୁ ମୁମ୍ବାଇ ଫେରିଛନ୍ତି । ସେହିପରି ଏକ ପରିବାରର ଚାରି ଜଣ ସଦସ୍ୟ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଫେରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସ୍ଥାନୀୟ ପ୍ରଶାସନ ଚିହ୍ନଟ ହୋଇଥିବା ସମସ୍ତଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପଠାଇଛି ।
ସେହିପରି ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୁଜୁରାଟ ଜାମନଗରର ଜଣେ ବ୍ୟକ୍ତି କରୋନାର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି । ୨ ଦିନ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଜଣକ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହିତ ଉକ୍ତ ବ୍ୟକ୍ତିଙ୍କ ନମୂନା ଜେନୋମ୍ ସିକ୍ବେସିଙ୍ଗ ପାଇଁ ପଠାଯାଇଥିଲା । ତେବେ ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ବ୍ୟକ୍ତିଜଣକ ଓମିକ୍ରନ୍ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ।
ପୂର୍ବରୁ ଭାରତରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । କର୍ଣ୍ଣାଟକରୁ ଜଣେ ୬୬ ବର୍ଷୀୟ ଏବଂ ଆଉ ଜଣେ ୪୬ ବର୍ଷୀୟ ବ୍ୟକ୍ତି କରୋନାର ଓମିକ୍ରନ୍ ଭାରିଏଣ୍ଟରେ ଚିହ୍ନଟ ହୋଇଥିବା ନେଇ ଜଣାପଡିଥିଲା ।