ଏଟିଏମ୍ ରୁ ଟଙ୍କା ଉଠାଣ ପାଇଁ ଜାନୁଆରୀରୁ ଦେବାକୁ ହେବ ଅଧିକ ଚାର୍ଜ

ନୂଆଦିଲ୍ଲୀ, ୦୫/୧୨: (ସଂକେତ ଟିଭି) ମହଙ୍ଗା ହେବାକୁ ଯାଉଛି ଏଟିଏମ୍ ରୁ ଟଙ୍କା ଉଠାଣ। ନୂଆ ବର୍ଷ ଅର୍ଥାତ୍ ଜାନୁୟାରୀ ପହିଲାଠାରୁ ଗ୍ରାହକଙ୍କୁ ଏଟିଏମ୍ କାରବାରର ସୀମା ଅତିକ୍ରମ କରିବା ପରେ ଟଙ୍କା ଉଠାଣ ଲାଗି ପ୍ରତି କାରବାର ପାଇଁ ଅଧିକ ଦେୟ ଦେବାକୁ ପଡିବ। ମାଗଣା ସୀମା ପରେ ପ୍ରତି ଉଠାଣ ପାଇଁ ଗ୍ରାହକଙ୍କ ଉପରେ ଲାଗିବ ୨୧ ଟଙ୍କା ଚାର୍ଜ ।

ପୂର୍ବ ତୁଳନାରେ ଏହି ଚାର୍ଜ ୧ ଟଙ୍କା ଅଧିକ। ଏହା ପର୍ବରୂ ମାଗଣା ସୀମା ପରେ ଏଟିଏମ୍ ରୁ ପ୍ରତି ଉଠାଣ ପାଇଁ ଗ୍ରାହକଙ୍କୁ ୨୦ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା। ଜୁନ୍ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହା ଉପରେ ଶଳ୍କୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲା।

କିଛି ଦିନି ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ ଫି (ଏଟିଏମ୍ କାରବାର ଚାର୍ଜ ) ବୃଦ୍ଧି କରିବାକୁ କହିଥିଲା ଏବଂ ବର୍ତ୍ତମାନ ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଏହି ଫି ବୃଦ୍ଧି କରିବାକୁ ଘୋଷଣା କରିଛି । ଆରବିଆଇର ଏହି ନିଷ୍ପତ୍ତି ଅଧିକ ବିନିମୟ ଶୁଳ୍କ ଏବଂ ମୂଲ୍ୟ ବୃଦ୍ଧି ହେତୁ ବ୍ୟାଙ୍କ ଗୁଡିକ ସହୁଥିବା କ୍ଷତି କୁ କେତେକାଂଶରେ ଭରଣା କରିବ ।

ଏହି ବୃଦ୍ଧି ଜାନୁୟାରୀ ପହିଲା ଠାରୁ କାର୍ଯ୍ୟକାରୀ ହେବ ବୋଲି ଆରବିଆଇ ଏକ ସର୍କୁଲାରରେ କହିଛି । ଗ୍ରାହକମାନେ ନିଜ ନିଜ ବ୍ୟାଙ୍କ ଏଟିଏମରୁ ପାଞ୍ଚଟି ଆର୍ଥିକ ଏବଂ ଅଣ-ଆର୍ଥିକ ମାଗଣା ଟଙ୍କା ଉଠାଣ କରିପାରିବେ । ଆହୁରି ମଧ୍ୟ ଏ କ୍ଷେତ୍ରରେ ଆରବିଆଇ ସୀମା ନିର୍ଦ୍ଧାରଣ କରିଛି । ଏଥିସହିତ ମେଟ୍ରୋ ସହରର ଅନ୍ୟ ବ୍ୟାଙ୍କ ଏଟିଏମରୁ ତିନୋଟି ଏବଂ ଅଣ-ମେଟ୍ରୋ ସହରର ଅନ୍ୟ ବ୍ୟାଙ୍କରୁ ପାଞ୍ଚ ଥର ଟଙ୍କା ଉଠାଣ କରିବାକୁ ସକ୍ଷମ ହେବେ ।