ରାଜ୍ଯ ସରକାରଙ୍କୁ ଓମିକ୍ରନ ଚିନ୍ତା, ଠାବ ହୋଇପାରୁନାହାଁନ୍ତି ୪୦ ପ୍ରତିଶତ ବିଦେଶ ଫେରନ୍ତା

ଭୁବନେଶ୍ବର, ୦୬/୧୨: (ସଂକେତ ଟିଭି) ଓମିକ୍ରନ୍ ଭୟ ଭିତରେ ଓଡ଼ିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ। ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ୨୪୬ ଜଣ ବିଦେଶ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ କି ନାହିଁ ତାହା ଜିନୋମ ସିକ୍ବେନ୍ସିଂ ପରେ ଜଣାପଡିବ । ନଭେମ୍ବର ୨୪ ପର ଠାରୁ ବର୍ତ୍ତମାନ ସୁଦ୍ଧା ଏହି ୨୪୬ ଜଣଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ପାଇଁ ଆସିଛି । ଏମାନଙ୍କ ରିପୋର୍ଟ ଗୁରୁବାର ସୁଦ୍ଧା ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ପୂର୍ବରୁ ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜିନୋମ ସିକ୍ବେନ୍ସିଂ କରାଯାଇଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କର ବି ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିନାହିଁ ।

କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ପ୍ରଶାସନ ମଧ୍ୟ ଚିନ୍ତାରେ ରହିଛି । ଓମିକ୍ରନ ବିପଦ ଦେଶରୁ ଫେରିଥିବା ଲୋକଙ୍କୁ ଖୋଜା ଚାଲିଛି । ଏହାଏକ ଡାଇନାମିକ ପ୍ରୋସେସ୍‌ । କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି, ତାହା ଜିଲ୍ଲାକୁ ପଠା ଯାଉଛି । କୋଭିଡର ନୂଆ ଭାରିଆଣ୍ଟ୍‌ ଓମିକ୍ରନକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଏହି ଭାରିଆଣ୍ଟ୍‌କୁ ମାତ୍‌ ଦେବାକୁ ହେଲେ ଲୋକଙ୍କ ସହଯୋଗ ସର୍ବୋପରି ରହିବ । ବାହାର ରାଷ୍ଟ୍ରରୁ ଫେରିଥିବା ଲୋକମାନେ ସ୍ବତ୍ତପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ୍‌ କରାନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଟେଷ୍ଟ ପରେ ସମ୍ପୃକ୍ତ ଲୋକ ଘରେ ରହିବେ । ଏଥିପାଇଁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ବାହାରୁ ଫେରିଥିବା ବ୍ୟକ୍ତିବିଶେଷ ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନକରାଇ ସୁରକ୍ଷିତ ରୁହନ୍ତୁ । ସଂକ୍ରମଣ ରୋକିବାକୁ ବିପଦପୂର୍ଣ୍ଣ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି । ୭ ଦିନ ସଂଗରୋଧରେ ରହିଲା ପରେ ଅଷ୍ଟମ ଦିନ ଟେଷ୍ଟ କରାଯିବ । ପଜିଟିଭ ବାହାରିଲେ ଜିନମ ସିକ୍ବେସିଂ କରାଯିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ଓମିକ୍ରନ ଭାରିଆଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇ ନାହାନ୍ତି ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟଭୀତ ହେବାର କୌଣସି କାରଣ ନାହିଁ। କିଏ କେଉଁଠୁ ଆସୁଛି, ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ସାରା ରାଜ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।