ଇଣ୍ଟରନେଟରେ ଧମାଲ୍ ମଚାଇଲା କାର୍ତ୍ତିକ ଆୟନଙ୍କ ଅଭିନୀତ ଫିଲ୍ମ ଧମାକା

ମୁମ୍ବାଇ : (ସଂକେତ ଟିଭି) କାର୍ତ୍ତିକ ଆୟନ ଏବଂ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ ଧମାକା ନିକଟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଫିଲ୍ମଟି ନିଜର ୟୁନିକ୍ କଣ୍ଟେଟ୍ ଜରିଆରେ ବିଶ୍ୱ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି । ରାମ ମାଧବାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ନିଆରା ଷ୍ଟୋରୀ ଲାଇନଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ଏବଂ ସେମାନଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଛି । ରିଲିଜ୍ ହେବା ପରେ ଧମାକା ନେଟଫ୍ଲିକ୍ସରେ ପୁରା ଦୁନିଆର ଶ୍ରେଷ୍ଠ ପାଞ୍ଚଟି ଅଣଇଂରାଜୀ ଫିଲ୍ମ ମଧ୍ୟରେ ଟ୍ରେଣ୍ଡ୍ କରୁଛି ।

ଫିଲ୍ମକୁ ନେଟଫ୍ଲିକ୍ସରେ ୨୨ ନଭେମ୍ବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୪.୮ ମିଲିୟନ ଘଣ୍ଟା ପର୍ଯ୍ୟନ୍ତ ଲୋକମାନେ ଦେଖିଛନ୍ତି । ଏଥିସହ ଏହାକୁ ଦେଶ ଏବଂ ବିଦେଶର ସମୀକ୍ଷକ, ଆଲୋଚକ ଏବଂ ସିନେପ୍ରେମୀଙ୍କଠାରୁ ଜବରଦସ୍ତ ଭଲ ପାଇବା ଏବଂ ପ୍ରଶଂସା ସାଉଁଟିଛି । କେବଳ ସେତିକି ନୁହେଁ ଭାରତ, ୟୁଏଇ, ଶ୍ରୀଲଙ୍କା ଏବଂ ବାଙ୍ଗଲାଦେଶ ସହିତ ନେଟଫ୍ଲିକ୍ସରେ ୧୦ଟି ଦେଶର ଶ୍ରେଷ୍ଠ ୧୦ଟି ଫିଲ୍ମ ମଧ୍ୟରେ ଟ୍ରେଣ୍ଡ୍ କରିଚାଲିଛି ।

ଧମାକାର ଏହି ସଫଳତା ଉପରେ ନିର୍ଦ୍ଦେଶକ ରାମ ମାଧବାନୀ କହିଛନ୍ତି ଯେ, ଏହା ଏପରି ଏକ ଫିଲ୍ମ ଯାହା ତାଙ୍କ ହୃଦୟକୁ ଛୁଇଁଛି । ଫିଲ୍ମର କଳାକାରମାନେ ନିଜ ଭୂମିକାକୁ ନ୍ୟାୟ ଦେବା ସହ କଠିନ ପରିଶ୍ରମ କରିଥିବାରୁ ସେ କୃତଜ୍ଞ ବୋଲି ରାମ ମାଧବାନୀ କହିଛନ୍ତି ।

ସେପଟେ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା କାର୍ତ୍ତିକ କହିଛନ୍ତି ଯେ ଧମାକାରେ ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଥିବାରୁ ସେ ଖୁସି ଅଛନ୍ତି । ଏହି ଫିଲ୍ମରେ କାର୍ତ୍ତିକ ଆୟନ ଜଣେ ନ୍ୟୁଜ୍ ଆଙ୍କର ଅର୍ଜୁନ ପାଠକ ରୋଲରେ ନଜର ଆସିଛନ୍ତି । ଏହାସହ ମୃଣାଳ ଠାକୁର କାର୍ତ୍ତିକଙ୍କ ସ୍ତ୍ରୀ ସହ ଜଣେ ନ୍ୟୁଜ୍ ରିପୋର୍ଟର ଭୂମିକାରେ ଅଭିନୟ କରିଛନ୍ତି । ଆଗକୁ କାର୍ତ୍ତିକ କମେଡି ଡ୍ରାମା ଫିଲ୍ମ ଭୁଲ୍ ଭୁଲେୟା-୨ରେ ନଜର ଆସିବେ ।