ବାଜିରେ ଲାଗିଛି ୩ ହଜାର କୋଟି ଟଙ୍କା

ମୁମ୍ବାଇ : (ସଂକେତ ଟିଭି) ଅକ୍ଷୟ କୁମାରଙ୍କ ଆଗାମୀ ପିରିୟଡ ଡ୍ରାମା ଫିଲ୍ମ ପୃଥ୍ୱୀରାଜ ଆଜିକାଲି ଚର୍ଚ୍ଚାରେ ରହିଛି । ଫିଲ୍ମଟି ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଉପରେ ଆଧାରିତ ହୋଇଛି । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ମାନୁଷୀ ଛିଲ୍ଲର, ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ମିଡିଆ ରିପୋର୍ଟ ଅନୁଯାୟୀ ଏହାର ବଜେଟ୍ ପ୍ରାୟ ୩୦୦ କୋଟି । ତେବେ ପୂର୍ବ ରେକର୍ଡ ଅନୁଯାୟୀ ଭାରତୀୟ ଫିଲ୍ମ ନିର୍ମାତା ପାଇଁ ପିରିୟଡ ଡ୍ରାମା ଏପର୍ଯ୍ୟନ୍ତ ଭଲ ପ୍ରମାଣିତ ହୋଇଛି । ୧୯୪୭: ଅର୍ଥ, ଯୋଦ୍ଧା ଆକବର, ବାଜିରାଓ୍ୱ ମସ୍ତାନୀ, ପଦ୍ମାବତ, ମଣିକର୍ଣ୍ଣିକା, ବାହୁବଳୀ ପରି ଏପରି ଅନେକ ଐତିହାସିକ ଫିଲ୍ମ ରହିଛି, ଯେଉଁଗୁଡ଼ିକ ଭାରତୀୟ ସିନେମାରେ ଇତିହାସ ରଚିଛନ୍ତି ।

ଏଥିରେ ପୁଣି ନିର୍ମାତାମାନେ ଅନ୍ଧ ପରି ଅର୍ଥ ଲଗାଇଦେଇଛନ୍ତି । କୋଟି କୋଟି ଟଙ୍କାରେ ନିର୍ମିତ ଫିଲ୍ମରେ ରିସ୍କ ମଧ୍ୟ ବହୁତ ରହିଥାଏ । କେତେକ ଫିଲ୍ମ ଭଲ ରୋଜଗାର କରି ନୂଆ ରେକର୍ଡ କରିଥିବା ବେଳେ କେତେକ ଫିଲ୍ମ ଦର୍ଶକଙ୍କ ଦ୍ୱାରା ଆଦୃତ ନହୋଇପାରି ବହୁ ପରିମାଣରେ କ୍ଷତି ସହିଛି ।

ସେହିପରି ୨୦୨୨ରେ ଅନେକ ଫିଲ୍ମ ମେକର ବଡ଼ ରିସ୍କ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି । କେବଳ ଅକ୍ଷୟ କୁମାରଙ୍କ ପୃଥ୍ୱୀରାଜ ନୁହେଁ ୧୦ଟି ମେଗା ବଜେଟ ପିରିୟଡ ଫିଲ୍ମ ରିଲିଜ୍ ଅପେକ୍ଷାରେ । ଏହି ତାଲିକାରେ ରାମାୟଣ ମହାକାବ୍ୟ ଉପରେ ଆଧାରିତ ୩ଟି ଫିଲ୍ମ ଆଦିପୁରୁଷ, ରାମାୟଣ ଟ୍ରାଇଲୋଜି ଏବଂ ସୀତା, ମହାଭାରତ ଉପରେ ବ୍ରହ୍ମାସ୍ତ୍ର ଓ ଦ ଇର୍ମୋଟାଲ ଅଶ୍ୱଥାମା, ସ୍ୱାଧୀନତା ସଂଗ୍ରାମକୁ ନେଇ ଆରଆରଆର, ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ପର୍ଯ୍ୟବେଶିତ ଦ ଗୁଡ୍ ମହାରାଜା, ଶମଶେରା, ରାମସେତୁ ଏବଂ ଦ ବ୍ୟାଟେଲ ଅଫ୍ ଭୀମା କୋରେଗାଁଓ ଫିଲ୍ମ ସାମିଲ ରହିଛି ।

ଏହା ଉପରେ ପ୍ରଯୋଜକ ପାଣି ପରି ଅର୍ଥ ଲଗାଇଛନ୍ତି ଏବଂ ବଜେଟ୍ ପ୍ରାୟ ୫୦କୋଟିରୁ ଆରମ୍ଭ ହୋଇ ୫୦୦ କୋଟି ପର୍ଯ୍ୟନ୍ତ ରହିଛି । ଏହାକୁ ଦେଖିଲେ ଏସମସ୍ତ ଫିଲ୍ମ ଉପରେ ଇଣ୍ଡଷ୍ଟ୍ରୀରେ ପାଖାପାଖି ୩ ହଜାର କୋଟି ବାଜିରେ ଲାଗିଛି ।

ଏଥିମଧ୍ୟରୁ ଜଣେ ଫିଲ୍ମ ନିର୍ମାତାଙ୍କ କହିବା ଅନୁଯାୟୀ ଭାରତୀୟ ସିନେପ୍ରେମୀମାନେ ଏବେ ଏହିପରି ଐତିହାସିକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ତେଣୁ ଦର୍ଶକଙ୍କ ମନ ଛୁଇଁଲା ପରି ଫିଲ୍ମ ନିର୍ମାଣ କରିବାକୁ ପଡ଼ୁଛି, ଯେଉଁଥିରେ ରିସ୍କ ମଧ୍ୟ ରହିଛି ।