ଯୁଦ୍ଧ ବିମାନ ‘ମିରାଜ’ର ଟାୟାର ଚୋରି, ବାୟୁସେନା ଷ୍ଟେସନରେ ପହଞ୍ଚିଲା ଚୋର

ନୂଆଦିଲ୍ଲୀ,୦୬/୧୨: (ସଂକେତ ଟିଭି) ଗତ ନଭେମ୍ବର ୨୭ ତାରିଖରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ‘ମିରାଜ’ର ଟାୟାର ଚୋରି ହୋଇଥିଲା । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ବକ୍ସି-କା-ତଲାବ ଏୟାରବେସ୍ରୁ ଟ୍ରକ୍ ଯୋଗେ ମିରାଜ ୨୦୦୦ ଯୁଦ୍ଧ ବିମାନର ୫ଟି ଟାୟାର ଯୋଧପୁର ଯାଉଥିବା ବେଳେ ଅଧା ବାଟରୁ ଏହା ମଧ୍ୟରୁ ଗୋଟିଏ ଟାୟାର ଚୋରି ହୋଇଯାଇଥିଲା । ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏବେ ଏହି ଲଢ଼ୁଆ ବିମାନ ଟାୟାର ଚୋରି କରିଥିବା ଚୋର ଧରାପଡିଛି । ଚୋର ଖୋଦ୍ ଟାୟାର ନେଇ ଆଇଏଏଫ୍ ଷ୍ଟେସନରେ ପହଞ୍ଚିଛି । ଏନେଇ ଉତ୍ତର ପ୍ରଦେଶ ପୋଲିସ ସୂଚନା ଦେଇଛି ।

ଲକ୍ଷ୍ମୌ ପୋଲିସର କହିବା ମୁତାବକ, ଗତ ୪ ତାରିଖ ଦିନ ବକ୍ସି-କା-ତାଲାବ ବାୟୁ ସେନା ଷ୍ଟେସନକୁ ଟାୟାର ଧରି ୨ ଜଣ ବ୍ୟକ୍ତି ପହଞ୍ଚିଥିଲେ । ଯେଉଁଠାରୁ କଥିତ ରୂପେ ଚୋରି ହୋଇଥିବା ସୂଚନା ମିଳିଥିଲା ସେହି ସ୍ଥାନର ରାସ୍ତା ପାର୍ଶ୍ୱରୁ ଟାୟାରଟି ତାଙ୍କୁ ମିଳିଥିବା ଉଭୟ ଦାବି କରିଥିଲେ । ଏଥିସହିତ ସେ ଏହାକୁ ଟ୍ରକ୍ ଟାୟାର ବୋଲି ଭାବି ଘରକୁ ନେଇଯାଇଥିବା କହିଥିଲେ । ଏବେ ଉକ୍ତ ଟାୟାରଟି ବାୟୁସେନା ଷ୍ଟେସନ ଡିପୋର ଏବଂ ଏହା ମିରାଜ ଜେଟ୍ ର ବୋଲି ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୭ ବିଳମ୍ବିତ ରାତିରେ ଲକ୍ଷ୍ମୌରେ ଥିବା ଶହୀଦ ପଥ ଦେଇ ଟ୍ରକଟି ଯାଉଥିବା ବେଳେ ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ହୋଇଥିଲା । ଟ୍ରକ୍ ଡ୍ରାଇଭର ହେମ ସିଂହ ରାୱତ ଚୋରି କଥାକୁ ନିଶ୍ଚିତ କରିଥିଲେ । ଡିସେମ୍ବର ୧ରେ ଏନେଇ ଏଫଆଇଆର ରୁଜୁ କରାଯାଇଥିଲା ।