ମାତ୍ର ୩ ମିନିଟରେ ୯୦୦ କର୍ମଚାରୀଙ୍କୁ ଛଟେଇ କଲେ ଭାରତୀୟ ସିଇଓ

ନୂଆଦିଲ୍ଲୀ ୦୭/୧୨ : (ସଂକେତ ଟିଭି) ବେଟର ଡଟ୍ କମ୍ ର ସିଇଓ ବିଶାଲ ଗର୍ଗ ବୁଧବାର ଏକ ନିଷ୍ଠୁର ପଦକ୍ଷେପ ନେଇଛନ୍ତି। ଜୁମ୍ କଲରେ ସେ ତାଙ୍କ କମ୍ପାନୀର ୯୦୦ ଜଣ କର୍ମଚାରୀଙ୍କୁ ଏକକାଳିନ ଚାକିରିରୁ ବିଦା କରିଛନ୍ତି। ଭାରତୀୟ-ଆମେରିକୀୟ ସିଇଓ କହିଛନ୍ତି ଯେ ବଜାର ଯୋଗ୍ୟତା, କାର୍ଯ୍ୟଦକ୍ଷତା ଏବଂ ଉତ୍ପାଦକତା ଭଳି ମାନଦଣ୍ଡ ଆଧାରରେ ଗଣଛଟେଇ କରାଯାଇଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ବିଶାଲ ଗର୍ଗ ‘ବେଟର ଡଟ୍ କମ୍’ର ଫାଉଣ୍ଡର ଓ ସିଇଓ । ଏହି କମ୍ପାନୀ ଘର ମାଲିକଙ୍କୁ ହୋମ୍ ଲୋନ ଦେବା ସହ ବିଭିନ୍ନ ପ୍ରକାର ସୁବିଧା ଦେଇଥାଏ ।

ସିଏନ୍ଏନ୍ ଅନୁଯାୟୀ, ଭିଡିଓ କଲରେ ସିଇଓ ବିଶାଲ ଗର୍ଗ କର୍ମଚାରୀଙ୍କୁ ଚାକିରି ଛଟେଇ କରିବାର କାରଣ ମଧ୍ୟ କହିଛନ୍ତି । ବଜାରର ଦକ୍ଷତା, ପ୍ରଦର୍ଶନ ଏବଂ ଉତ୍ପାଦକତା ପାଇଁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଜୁମରେ ଓ୍ୱେବିନାର କରିବା ସମୟରେ ସେ କହିଥିଲେ କି ‘ ଯଦି ଆପଣ ଏହି ଓ୍ୱେବିନାରରେ ଅଛନ୍ତି ତେବେ ଆପଣ ଏହି ଦୁର୍ଭାଗ୍ୟ ସମୟର ଅଂଶ ଅଟନ୍ତି । କାରଣ ଏହି ମିଟିଂରେ ଆପଣମାନଙ୍କୁ ଚାକିରିରୁ ଛଟେଇ କରାଯିବ’ ।” ୪୩ ବର୍ଷିୟ ବିଶାଲ କମ୍ପାନୀର ୯ ପ୍ରତିଶତ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଛନ୍ତି।

କମ୍ପାନୀର ଜଣେ ବହିସ୍କୃତ କର୍ମଚାରୀ ଏହି ଭିଡିଓ କଲକୁ ରେକଡିଂ କରି ସୋସିଆଲ୍ ମିଡିଆରେ ଲିକ୍ କରିଥିଲେ। ଛୁଟିଦିନ ପୂର୍ବରୁ ଏତେ ସଂଖ୍ଯାରେ କର୍ମଚାରୀଙ୍କୁ ଏଭଳି ବରଖାସ୍ତ କରିବାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଡେଲି ମେଲକୁ ବିଶାଲ କହିଛନ୍ତି, “ମୋ କ୍ୟାରିୟରରେ ଏହା ଦ୍ୱିତୀୟ ଥର ମୁଁ ଏହା କରୁଛି ଏବଂ ମୁଁ ଏହା କରିବାକୁ ଚାହେଁ ନାହିଁ। ଶେଷ ଥର ମୁଁ ଏହା କରିଥିଲି, ମୁଁ କାନ୍ଦିଲି। ବଜାର, ଦକ୍ଷତା ଏବଂ ପ୍ରଦର୍ଶନ ଏବଂ ଉତ୍ପାଦକତା ପାଇଁ ଆମେ ବିଭିନ୍ନ କାରଣରୁ କମ୍ପାନୀର ପ୍ରାୟ ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂଖ୍ୟାକୁ ସଂଶୋଧନ କରି ପ୍ରାୟ ୯ ପ୍ରତିଶତ କରାଯାଇଛି ବୋଲି ସେ କହିଛନ୍ତି ।

ବିଶାଲ ଗର୍ଗ ବିବାଦର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ, ସେ କର୍ମଚାରୀଙ୍କୁ ପଠାଇଥିବା ଏକ ଇମେଲ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା। ସେ କର୍ମଚାରୀଙ୍କୁ ଅଯୋଗ୍ୟ ବୋଲି କହିଥିଲେ। କର୍ମଚାରୀଙ୍କୁ ଅନେକ ଥର ଚେତାବନୀ ଦେଲା ପରେ ସେ ଶେଷରେ ୯୦୦ ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଛନ୍ତି।