ଭାରତୀୟ ଅର୍ଥ ବ୍ୟବସ୍ଥାରେ ବ୍ୟାପକ ସୁଧାର ସଙ୍କେତ

ନୂଆଦିଲ୍ଲୀ, ୦୭/୧୨: (ସଂକେତ ଟିଭି) କୋଭିଡ-୧୯ ମହାମାରୀଜନିତ ମାନ୍ଦାବସ୍ଥାରୁ ମୁକ୍ତ ହୋଇ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ତଥା ମଜଭୁତ ସୁଧାର ଦିଗରେ ଅଗ୍ରସର ହୋଇଛି । ଅର୍ଥ ବ୍ୟବସ୍ଥାର କେତେକ ସୂଚକାଙ୍କରେ ବ୍ୟାପକ ସୁଧାରରୁ ଏହା ସ୍ପଷ୍ଟ ହୋଇଛି । ଜାନୁଆରୀ ୨୦୨୦ରେ ଦେଶରେ ପ୍ରଥମ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଏହାର ପରବର୍ତ୍ତୀ କାଳରେ ଅର୍ଥ ବ୍ୟବସ୍ଥା ଉପରେ ମହାମାରୀଜନିତ ପ୍ରଭାବକୁ ଅନୁଧ୍ୟାନ କରାଯାଇ ଆସୁଥିଲା । ଭାରତରେ ଆର୍ଥିକ ପ୍ରଗତିକୁ ଅନୁଧ୍ୟାନ କରିବା ଲାଗି କେତେକ ଉଚ୍ଚ ଆବୃତ୍ତି ସୂଚକାଙ୍କ ବା ହାଇ ଫ୍ରିକୁଏନ୍ସି ଇଣ୍ଡିକେଟର୍ସ (ଏଚଏଫଆଇ)କୁ ଲଗାତାର ଅନୁଧ୍ୟାନ କରାଯାଉଥିଲା ।

ସଦ୍ୟତମ ସୂଚନା ଅନୁଯାୟୀ, ୨୨ଟି ଏଚଏଫଆଇ ମଧ୍ୟରୁ, ୧୯ଟିରେ ସମ୍ପୂର୍ଣ୍ଣ ସୁଧାର ଆସିଥିବା ସ୍ପଷ୍ଟ ହୋଇଛି । ୨୦୨୧ ସେପ୍ଟେମ୍ବର/ ଅକ୍ଟୋବର/ ନଭେମ୍ବର ମାସରେ ଏହିସବୁ ସୂଚକାଙ୍କର ସ୍ତର କୋଭିଡ ମହାମାରୀ ପୂର୍ବବର୍ତ୍ତୀ ସ୍ତର ଅର୍ଥାତ୍ ୨୦୧୯ର ସମାନ ମାସଗୁଡ଼ିକ ତୁଳନାରେ ଅଧିକ ରହିଛି । ଏହି ୧୯ଟି ମଧ୍ୟରୁ କେତେକ ସୂଚକାଙ୍କରେ ୧୦୦ ପ୍ରତିଶତରୁ ଅଧିକ ସୁଧାର ପରିଲକ୍ଷିତ ହୋଇଛି । ଉଦାହରଣ ସ୍ୱରୂପ ଓ୍ବେ ବିଲ ସଂଖ୍ୟା, ସାମଗ୍ରୀ ରପ୍ତାନି, କୋଇଲା ଉତ୍ପାଦନ, ରେଳ ମାଲ ପରିବହନ ଆଦିରେ ଉତ୍ସାହଜନକ ପରିଣାମ ଦେଖିବାକୁ ମିଳିଛି ।

ଏହା କେବଳ ଆର୍ଥିକ ସୁଧାର ସମ୍ପୂର୍ଣ୍ଣ ହୋଇଥିବାକୁ ଦର୍ଶାଉ ନାହିଁ, ବରଂ ଆର୍ଥିକ ଅଭିବୃଦ୍ଧି ମହାମାରୀ ପୂର୍ବବର୍ତ୍ତୀସ୍ତରକୁ ଅତିକ୍ରମ କରିଯାଇଥିବାର ପ୍ରମାଣ ଦେଉଛି । ନିକଟରେ ଜିଡିପି ଆକଳନର ତଥ୍ୟ ମଧ୍ୟ ଏହାକୁ ଆହୁରି ସ୍ପଷ୍ଟ କରିଛି । ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ବାର୍ଷିକ ବାସ୍ତବ ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହି ଉତ୍ପାଦନ ହାର ମହାମାରୀ ପୂର୍ବବର୍ତ୍ତୀ ସମୟ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ ଠାରୁ ଅଧିକ ବୋଲି ଜଣାଯାଇଛି ।