ବିଜେପି ସାଂସଦ ଗୃହରେ ନିୟମିତ ଉପସ୍ଥିତ ନରହିଲେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ : ମୋଦି

ନୂଆଦିଲ୍ଲୀ, ୦୭/୧୨: (ସଂକେତ ଟିଭି) ସାଂସଦର ଅଧିବେଶନରେ ନିୟମିତ ଉପସ୍ଥିତ ରହିବା ପାଇଁ ବିଜେପିର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଗିଦ୍ କରିଛନ୍ତି । ଆଗକୁ ଏପରି ଅନୁପସ୍ଥିତ ରହିବା ପରି ଅଭିଯୋଗ ସାମ୍ନାକୁ ଆସିଲେ ବଡ ଧରଣର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେ ପରୋକ୍ଷରେ ଚେତବାନୀ ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀର ଡ.ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ବିଜେପିର ସଂସଦୀୟ ବୈଠକରେ ଦଳର ସାଂସଦମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଥିଲେ । ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାଂସଦମାନଙ୍କୁ ନିୟମିତ ଭାବେ ସଂସଦରେ ଯୋଗ ଦେବା ପାଇଁ ପୂର୍ବରୁ ଅନେକ ଥର କୁହାଯାଇଛି । ଯଦି ସେ ଗୃହରେ ନିୟମିତ ନ ହୁଅନ୍ତି, ତେବେ ସମୟ ସେମାନଙ୍କୁ ପରିବର୍ତ୍ତନ କରିବାରେ ବିଳମ୍ବ କରିବେ ନାହିଁ ବୋଲି କହିଛନ୍ତି।

ଗୃହରେ ବିଜେପି ସାଂସଦଙ୍କ ଖରାପ ଉପସ୍ଥାନ ପାଇଁ ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।