କୃଷି ମନ୍ତ୍ରୀଙ୍କ ପାଖରେ ନାହିଁ ତଥ୍ଯ : ରାହୁଲ ଗାନ୍ଧୀ ଲୋକସଭାରେ ଦେଲେ ମୃତ ଚାଷୀଙ୍କ ତାଲିକା

ନୂଆଦିଲ୍ଲୀ ୦୭/୧୨ : (ସଂକେତ ଟିଭି) କୃଷି ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କର ତଥ୍ଯ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଲୋକସଭାରେ କହିଥିଲେ । ହେଲେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କର ଏକ ତାଲିକା ଉପସ୍ଥାପିତ କରିଛନ୍ତି । ଏଥିସହ ସେ ମୃତ କୃଷକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ କ୍ଷତିପୂରଣ ଏବଂ ଚାକିରି ଦାବି କରିଛନ୍ତି।

ଲୋକସଭାର ପ୍ରଶ୍ନକାଳରେ ରାହୁଲ ଗାନ୍ଧୀ କହିଥିଲେ ଯେ କୃଷକଙ୍କ ଆନ୍ଦୋଳନରେ ପ୍ରାୟ ୭୦୦ କୃଷକଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଦେଶବାସୀ ଏବଂ କୃଷକମାନଙ୍କୁ କ୍ଷମା ମାଗିଥିଲେ ଏବଂ ସ୍ୱୀକାର କରିଥିଲେ ଯେ ସେ ଏକ ଭୁଲ କରିଛନ୍ତି। ନଭେମ୍ବର ୩୦ରେ କୃଷି ମନ୍ତ୍ରୀଙ୍କୁ ଏହି ଆନ୍ଦୋଳନରେ କେତେ କୃଷକଙ୍କ ମୃତ୍ୟୁ ହୋଇଥିଲା ସେ ବିଷୟରେ ପଚରା ଯାଇଥିଲା। ହେଲେ, ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କହିଥିଲେ।

ରାହୁଲ ଗାନ୍ଧୀ ସଂସଦରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ପଞ୍ଜାବର ୪୦୦ କୃଷକଙ୍କ ତାଲିକା ଦେଖାଇଥିଲେ। ଏହି କୃଷକମାନଙ୍କ ପରିବାରକୁ ପଞ୍ଜାବ ସରକାର ୫ ଲକ୍ଷ ଟଙ୍କା ଲେଖାଁଏଁ କ୍ଷତିପୂରଣ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୫୨ ଜଣଙ୍କୁ ମଧ୍ୟ ଚାକିରି ଦିଆଯାଇଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଆମେ ହରିୟାଣାର ୭୦ ଜଣ କୃଷକଙ୍କ ଆଉ ଏକ ତାଲିକା ପ୍ରସ୍ତୁତ କରିଛୁ। କୃଷକମାନଙ୍କୁ ସେମାନଙ୍କର ଅଧିକାର, କ୍ଷତିପୂରଣ ଏବଂ ଚାକିରି ଦିଆଯିବା ପାଇଁ ସେ ଦାବି କରିଥିଲେ।