ତାମିଲନାଡୁରୁ ଉଦ୍ଧାର ହେଲେ ଟ୍ୟୁସନ୍ ଯାଇ ନିଖୋଜ ହୋଇଥିବା ୩ଛାତ୍ର

ସୋର ୭।୧୨: (ସଂକେତ୍ ଟିଭି) ଟ୍ୟୁସନ ହେବାକୁ ଯାଇ ନିଖୋଜ ହୋଇଯାଇଥିବା ୩ ଛାତ୍ର ତାମିଲନାଡୁରୁ ଉଦ୍ଧାର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବାହାନଗା ସରସତିଆ ଅଞ୍ଚଳର ୩ଜଣ ଛାତ୍ର ଗତ ୩ ତାରିଖରେ ଟ୍ୟୁସନ ପଢିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଖନ୍ତାପଡା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, ସରସତିଆ ଅଞ୍ଚଳର କୌଶଲ୍ୟା ସାହୁଙ୍କ ନାବାଳକ ପୁଅ ତୃପ୍ତି ରଞ୍ଜନ ଓ ତାର ଅନ୍ୟ ଦୁଇ ଜଣ ସାଥୀ ରଞ୍ଜନ ମହାନ୍ତି ଓ ଦେବଦାସ ବାରିକ ଗତ ୩ ତାରିଖରେ ଟ୍ୟୁସନ ପଢିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ସେହି ଦିନ ସନ୍ଧ୍ୟାରେ ରଞ୍ଜନ ତାର ଭାଇ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କରି ତାକୁ ଆଉ ନଖୋଜିବାକୁ କହିଥିଲା । ପିଲାଟିକୁ ତାର ଭାଇ କେଉଁ ଆଡେ ଯାଉଛ ଓ କେଉଁ ଟ୍ରେନର ବସିଛ ବୋଲି ପ୍ରଶ୍ନ କରିଥିଲେ ବି ପିଲାଟି କିଛି ଉତ୍ତର ନ ଦେଇ ଆଉ ସେହି ନମ୍ବରରେ ଫୋନ ନକରିବାକୁ କହିଥିଲା । ପରେ ପରିବାର ଲୋକ ସେହି ମୋବାଇଲ ନମ୍ବରକୁ ଫୋନ୍ କରିଥିଲେ । ଜଣେ ଅଣ ଓଡିଆ ଲୋକ ଫୋନ୍ ଉଠାଇଥିଲେ । କେଉଁଠାକୁ ଯାଉଛ ପ୍ରଶ୍ନ କରିବାରୁ ବେଙ୍ଗାଲୁରୁ ଯାଉଥିବା କହିଥିବା ବେଳେ କେଉଁ ଟ୍ରେନରେ ଯାଉଥିବା ଜାଣି ନଥିବା କହିଥିଲା ଏବଂ ଫୋନଟି କାଟି ଦେଇ ସୁଇଚ୍ ଅଫ୍ କରିଦେଇଥିଲା ।

ଏନେଇ ପରିବାର ଲୋକେ ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ । ପିଲାମାନେ ତାମିଲନାଡୁର ବେଛାପୁରମ୍ ରେଳ ଷ୍ଟେସନରେ ବୁଲୁଥିବା ବେଳେ ଷ୍ଟେସନରେ କାର୍ଯ୍ୟରତ ଆରପିଏଫଙ୍କ ସନ୍ଦେହ ହେବାରୁ ପିଲାମାନଙ୍କୁ ଅଟକାଇ ପଚରାଉଚରା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ପରେ ତାମିଲନାଡୁ ସିଡବ୍ଲୁସି ଖନ୍ତାପଡା ପୋଲିସକୁ ଯୋଗାଯୋଗ କରିଥିଲେ । ଖନ୍ତାପଡା ପୋଲିସ ଛାତ୍ରମାନଙ୍କ ପରିବାର ଲୋକଙ୍କ ସହ ତାମିଲନାଡୁରୁ ଉଦ୍ଧାର କରି ଖନ୍ତାପଡାକୁ ଟ୍ରେନ ଯୋଗେ ଆଣୁଛି ।