ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ୭।୧୨: (ପୂର୍ଣ୍ଣେନ୍ଦୁ ପ୍ରଧାନ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ ଷଷ୍ଠ ବାଟାଲିୟନ ସିପାହୀ ସହଦେବ ପରିଡାଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି । ସହଦେବଙ୍କ ବାସଭବନ ସହ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଏହି ସବୁ ସ୍ଥାନ ମଧ୍ୟରେ ସହଦେବଙ୍କ ସରକାରୀ କ୍ବାର୍ଟର, ତିଗିରିଆ ସ୍ଥିତ ୩ ମହଲା ବିଲ୍ଡିଂ, ଗଣ୍ଡରପୁର ସ୍ଥିତ ଘର, ପୁରୀ ଚନ୍ଦନପୁର ସ୍ଥିତ ପୈତୃକ ବାସଭବନ, ପୁରୀ ମାଳତୀପାଟପୁର ସ୍ଥିତ ଶ୍ବଶୁର ଘରେ ଚଢାଉ ଜାରି ରହିଛି ।

ତେବେ ଏହି ଚଢାଉରେ ୩ ଜଣ ଡିଏସପି, ୯ ଜଣ ଇନିସପେକ୍ଟର ସାମିଲ ଥିବା ସୂଚନା ରହିଛି । ଚଢାଉ ବେଳେ ନଗଦ ୨ ଲକ୍ଷ ୯୪ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବାର ଖବର ମିଳିଛି । ଏହାସହ ୪ଟି ଦୁଇ ଚକିଆ, ୧୭ଟି ବ୍ୟାଙ୍କ ପାସବୁକ୍ ଜବତ ମଧ୍ୟ ହୋଇଛି । ଏହି ଚଢ଼ାଉ ସମୟରେ ତାଙ୍କ ଠାରୁ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା ନଗଦ ଜବତ କରାଯିବା ସହ ତାଙ୍କ ନାମରେ ୨ଟି ପ୍ଲଟ୍, ସ୍ତ୍ରୀଙ୍କ ନାଆଁରେ ୨ଟା ଓ ପୁଅଙ୍କ ନାଆଁରେ ଗୋଟିଏ ପ୍ଲଟ୍ ଠାବ କରାଯାଇଛି। ଏହାଛଡ଼ା ୪ଟା ଦୁଇଚକିଆ ଯାନ, କିଛି ସୁନାରୁପା, ଗୋଟିଏ ବିଲଡିଙ୍ଗ, କଣ୍ଟିଲୋ ତିନିଘରିଆରେ ଗୋଟିଏ ପ୍ଲଟ ସହ ୪ଟା ଆଜବେଷ୍ଟସ ଘର, ୧୭ ଟା ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାଯାଇଛି।