ପିଲାଙ୍କ ଉପରେ ପ୍ରଭାବ ପକାଉଛି ଓମିକ୍ରନ
ନୂଆଦିଲ୍ଲୀ ୦୮/୧୨: (ସଂକେତ ଟିଭି ) କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଟିକାକରଣ ପରେ ସଂକ୍ରମଣ କମି ଆସିଥିବାରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିଲେ । ହେଲେ ଏବେ ନୂଆ ଭରିଆଣ୍ଟ ପୁଣି ଲୋକଙ୍କ ଚିନ୍ତା
ବଢାଇଛି ।
ବୟସ୍କଙ୍କ ମଧ୍ୟରେ ଓମିକ୍ରନ ସେତେ ଅଧିକ ପ୍ରଭାବଶାଳୀ ହେଉନଥିବା ବେଳେ ପିଲାଙ୍କ ଉପରେ ଓମିକ୍ରନ ଅଧିକ ପ୍ରଭାବ ପକାଉଥିବା ଜଣାପଡ଼ିଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଥିବା ପିଲାମାନଙ୍କଠାରେ ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ନେଇ ସୂଚନା ମିଳିଛି ।
ପିଲାମାନଙ୍କଠାରେ ମଧ୍ୟମରୁ ଗମ୍ଭୀର ଲକ୍ଷଣ ଦେଖାଯାଉଥିବା ବେଳେ ଅମ୍ଲଜାନର ଆବଶ୍ୟକତା ପଡୁଛି । ଆମେରିକାର ନ୍ୟାସନାଲ ହେଲଥ ସର୍ଭିସ (ଏନଏଚଏସ) ଅନୁଯାୟୀ, କରୋନାର ନୂତନ ପ୍ରକାରର କିଛି ବିଶେଷ ଲକ୍ଷଣ ପିଲାମାନଙ୍କଠାରେ ଦେଖାଯାଉଛି । ଯେପରିକି ଜ୍ୱର, କ୍ରମାଗତ କାଶ (ଏକ ଘଣ୍ଟା ପାଇଁ ନିରନ୍ତର), ଥକାପଣ, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ଭୋକ କମିବା ।
ଦକ୍ଷିଣ ଆଫ୍ରିକାର ଡାକ୍ତରଖାନା ଗୁଡ଼ିକରେ ଯୁବପିଢି ଏବଂ ଶିଶୁମାନେ ଓମିକ୍ରନ ଦ୍ୱାରା ଅଧିକ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ୫ବର୍ଷର ଛୋଟ ପିଲାମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଟିକା ନେଇନଥିବାରୁ ଓମିକ୍ରନ ଦ୍ୱାରା ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା କୁହାଯାଉଛି ।