ବଢୁଛି ଡିଜିଟାଲ କାରବାର, ନଭେମ୍ବରରେ ଦିନକୁ ୨୫ ହଜାର କୋଟି

ନୂଆଦିଲ୍ଲୀ ୦୮/୧୨: (ସଂକେତ ଟିଭି ) ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ କାରବାରରେ ଐତିହାସିକ ଅଭିବୃଦ୍ଧି ଘଟିଛି । ବିଶେଷକରି କରୋନା ଯୁଗରେ, ଡିଜିଟାଲ୍ କାରବାରରେ ବହୁତ ବୃଦ୍ଧି ଘଟିଛି । ଗତ ଚାରି ବର୍ଷ ମଧ୍ୟରେ ୟୁପିଆଇ କାରବାର ପ୍ରାୟ ୭୦ ଗୁଣ ବୃଦ୍ଧି ପଞ୍ଜିକୃତ ହୋଇଛି । ଏହି ଅବଧି ମଧ୍ୟରେ ଡେବିଟ୍ କାର୍ଡ କାରବାରରେ ହ୍ରାସ ଘଟିଛି ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ମାସରେ ୟୁପିଆଇ କାରବାର ଏକ ରେକର୍ଡ ସ୍ତରରେ ଥିଲା । ନଭେମ୍ବରରେ ୟୁପିଆଇ କାରବାରରେ ୦.୭୧ ପ୍ରତିଶତ ହ୍ରାସ ଘଟିଛି । ଅକ୍ଟୋବରରେ କ୍ରମାଗତ ପଞ୍ଚମ ମାସ ପାଇଁ ଡିଜିଟାଲ କାରବାରରେ ବୃଦ୍ଧି ଘଟିଛି । ତେବେ ଏହା ନଭେମ୍ବର ମାସରେ ହ୍ରାସ ପାଇଛି । ଏହାପୂର୍ବରୁ ମେ ମାସରେ ଅନଲାଇନ୍ କାରବାରରେ ହ୍ରାସ ଘଟିଥିଲା ।

ରିପୋର୍ଟ ଅନୁଯାୟୀ ନଭେମ୍ବର ମାସରେ ମୋଟ ୪୧୮ କୋଟି ଥର ୟୁପିଆଇ କାରବାର କରାଯାଇଥିଲା । ଏହି ସମୟରେ ୟୁପିଆଇରେ ମୋଟ କାରବାର ମୂଲ୍ୟ ୭.୬୮ ଲକ୍ଷ କୋଟି ଟଙ୍କା ଥିଲା । ଅକ୍ଟୋବରରେ ୟୁପିଆଇ କାରବାରର ମୋଟ ସଂଖ୍ୟା ୪୨୧ କୋଟି ଥର ଥିଲା । ଅକ୍ଟୋବର ତୁଳନାରେ ନଭେମ୍ବରରେ କାରବାର ମୂଲ୍ୟରେ ୦.୪୦ ପ୍ରତିଶତ ହ୍ରାସ ଘଟିଛି ।

ନଭେମ୍ବର ମାସରେ ଦୈନିକ ୧୩ କୋଟି ଥର କାରବାର କରାଯାଇଥିଲା ଓ ଦୈନିକ କାରବାର ମୂଲ୍ୟ ପ୍ରାୟ ୨୫ ହଜାର କୋଟି ଟଙ୍କା ଥିଲା । ସେହିପରି ରିପୋର୍ଟ ଅନୁଯାୟୀ, ଉତ୍ସବ ସମୟରେ ଲୋକମାନେ କିଣାକିଣି କରିବା ପାଇଁ ଅନଲାଇନ୍ ପେମେଣ୍ଟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ୪୧ ପ୍ରତିଶତ ଗ୍ରାହକ ଡିଜିଟାଲ୍ ପେମେଣ୍ଟ୍ କରୁଛନ୍ତି । ୨୬ ପ୍ରତିଶତ ନଗଦ ଅର୍ଥ ଦେଉଥିବାବେଳେ ୨୩ ପ୍ରତିଶତ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା ଦେୟ ଦେଉଛନ୍ତି ।

ଏସବିଆଇ ଏହାର ରିପୋର୍ଟରେ କହିଛି ଯେ ଗତ ଚାରି ବର୍ଷ ମଧ୍ୟରେ ୟୁପିଆଇ କାରବାରରେ ପ୍ରାୟ ୭୦ ଗୁଣ ବୃଦ୍ଧି ହୋଇଛି । ଭାରତୀୟ ଗ୍ରାହକମାନେ ଯେକୌଣସି ପ୍ରକାରର କ୍ରୟ ପାଇଁ ମୋବାଇଲ୍ ପେମେଣ୍ଟ୍ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ।