ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ଚିନ୍ତା
ଜେନେଭା, ୧୧।୧୨: (ସଂକେତ ଟିଭି) ସାରା ବିଶ୍ୱରେ ଏବେ କରୋନାର ଓମିକ୍ରନ ଭାରିଏଣ୍ଟ ଆତଙ୍କ ସୃଷ୍ଟି କରିଛି । କାରଣ ଏହାର ସଂକ୍ରମଣ କ୍ଷମତା ସବୁଠାରୁ ଅଧିକ ଥିବାବେଳେ ଦ୍ରୁତଗତିରେ ବ୍ୟାପୀ ପାରୁଛି । ଏହାର ସଂକ୍ରମଣ କ୍ଷମତାକୁ ନେଇ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଥିଲା । ତେଣୁ ଓମିକ୍ରନକୁ ନେଇ ଅଧିକ ଚିନ୍ତା ପ୍ରକଟ କରିଛି ।
ଅନ୍ୟ ପକ୍ଷରେ କରୋନା ବିରୋଧୀ ଟିକାର ଅତିରିକ୍ତ ଡୋଜ୍ ଓମିକ୍ରନ ଭାରିଏଣ୍ଟରୁ ସୁରକ୍ଷା ଦେବାରେ ସହାୟକ ହେବ କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି । ତେଣୁ କୌଣସି ରାଷ୍ଟ୍ର ଟିକାର ଡୋଜ୍କୁ ସଂରକ୍ଷିତ କରି ନ ରଖନ୍ତୁ । ଏହା ବିଶ୍ୱ ଟିକା ସପ୍ଲାଏ ଚେନ୍ରେ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ଅନେକ ଦେଶ ଏବେ ଓମିକ୍ରନକୁ ଦୃଷ୍ଟିରେ ରଖି ଲୋକଙ୍କୁ ବୁଷ୍ଟର ବା ଅତିରିକ୍ତ ଡୋଜ୍ ଦେବାର ପ୍ରକ୍ରିୟା ଆରମ୍ଭ କରିଛି । କିଛି ଟିକା ଉତ୍ପାଦନକାରୀ କମ୍ପାନୀ ମଧ୍ୟ ଓମିକ୍ରନ ବିରୋଧରେ ବୁଷ୍ଟର ଡୋଜ୍? ସଫଳ ହେବ ବୋଲି କହୁଛନ୍ତି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଲଟା କଥା କହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟିକା ପରାମର୍ଶଦାତା କେଟ ଓ’ବ୍ରାଇନ କହିଛନ୍ତି, ଓମିକ୍ରନ କ’ଣ ପରିସ୍ଥିତି ସୃଷ୍ଟି କରିବ, ସେକଥା ଆମେ କେହିବି ଜାଣିନୁ । ଟିକାର ଅତିରିକ୍ତ ଡୋଜ୍? ଓମିକ୍ରନ ସଂକ୍ରମଣକୁ ରୋକି ପାରିବ କି ନାହିଁ, ତାହା ମଧ୍ୟ ଏଯାଏ ସ୍ପଷ୍ଟ ହୋଇନି । ତେଣୁ ଏପରି ସ୍ଥିତିରେ ଧନୀ ରାଷ୍ଟ୍ରମାନେ ଟିକାର ଡୋଜ୍ଗୁଡ଼ିକୁ ସଂରକ୍ଷିତ କରିବା ଆରମ୍ଭ କଲେଣି ।
ଏହା କେବଳ ବିଶ୍ୱ ଟିକା ସପ୍ଲାଏ ଚେନକୁ ପ୍ରଭାବିତ କରିବ । ଏବେ ସାରା ବିଶ୍ୱରେ ଟିକାର ଅସମାନତା ଯୋଗାଣ ସମସ୍ୟା ସୃଷ୍ଟି କରିଛି । ତା’ ଉପରେ ଓମିକ୍ରନ ପାଇଁ କିଛି ଦେଶ ଟିକାର ହୋର୍ଡିଂ କଲେ ସ୍ଥିତି ଆହୁରି ଖରାପ ହେବ । ତେଣୁ ଅତିରିକ୍ତ ଡୋଜ୍ ପାଇଁ ଟିକାର ସଂରକ୍ଷଣ କୌଣସି ରାଷ୍ଟ୍ର ଏବେ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।
ବୁଧବାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଟିକାର ଅତିରିକ୍ତ ଡୋଜ୍ ଓମିକ୍ରନକୁ ମାତ ଦେବାକୁ ସକ୍ଷମ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ହିଁ କେଟ୍ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ଫାଇଜରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରୀକ୍ଷା କରୁଛି ।