ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୩୭ରେ ପହଞ୍ଚିଲା ଭାରତର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୨|୧୨: (ସଂକେତ୍ ଟିଭି) ଆଜି କର୍ଣ୍ଣାଟକ, ହରିଆଣା, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏହା ପରେ ଭାରତର ସମୁଦାୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଦେଶର ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ କର୍ଣ୍ଣାଟକରେ ଚିହ୍ନଟ ହୋଇଥିଲା। ସେଥିରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ଡାକ୍ତର ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍’ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଆଜି ଦେଶରେ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ଯରେ ଆନ୍ଧ୍ର ପ୍ରଦେଶର ଜଣେ ୩୪ ବର୍ଷିୟ ବ୍ୟକ୍ତି ଏବଂ ଚଣ୍ଡୀଗଡ଼ର ଜଣେ ୨୦ ବର୍ଷିୟ ତରୁଣ। ଉଭୟ ରାଜ୍ୟ ପାଇଁ ଏହା ହେଉଛି ପ୍ରଥମ ଓମିକ୍ରନ୍‌ ସଂକ୍ରମଣ ମାମଲା। ସେହିପରି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ଯ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚଣ୍ଡୀଗଡ଼ରୁ ଚିହ୍ନଟ ହୋଇଥିବା ତରୁଣ ଜଣକ ଇଟାଲିରେ ବାସ କରନ୍ତି ଏବଂ ସେ ତାଙ୍କ ଆତ୍ମୀୟମାନଙ୍କୁ ଭେଟିବାକୁ ଆସି ୨୨ ତାରିଖରେ ଚଣ୍ଡୀଗଡ଼ ଆସିଥିଲେ। କ୍ବାରେଣ୍ଟିନ୍‌ରେ ରଖାଯିବା ପରେ ଡିସେମ୍ବର ୧ ତାରିଖରେ ତାଙ୍କ ନମୁନା ପରୀକ୍ଷାରୁ ସେ ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା ଏବଂ ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ କରାଯିବାରୁ ସେ ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ବୋଲି ସୁନିଶ୍ଚିତ କରାଯାଇଛି। ତାଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା ଏବଂ ସେ ଇଟାଲିରେ ଫାଇଜର୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିଲେ।

ସେହିପରି ଆୟରଲ୍ୟାଣ୍ଡ ଫେରନ୍ତା ଆନ୍ଧ୍ରର ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆୟରଲ୍ୟାଣ୍ଡରୁ ଆନ୍ଧ୍ର ଆସିଥିବା ମୋଟ ୧୫ ଜଣ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ରିପୋର୍ଟ ଆସି ଥିବାବେଳେ ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଥିବା ଜଣାପଡିଛି । ତେବେ ଏହି ୩୪ ବର୍ଷୀୟ ଆକ୍ରାନ୍ତ ସିଧାସଳଖ ଆନ୍ଧ୍ରରେ ପହଞ୍ଚି ନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଥିଲେ । ସେଠାରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ନଭେମ୍ବର ୨୭ରେ ବିଶାଖାପଟନମ୍ ଯିବାକୁ ଅନୁମତି ମିଳିଥିଲା । ଆନ୍ଧ୍ର ପ୍ରଦେଶର ଭିଜିଆନାଗ୍ରାମରେ ପହଞ୍ଚିବା ପରେ ତାଙ୍କର RT-PCR ଟେଷ୍ଟ କରାଯାଇଥିଲା । ସେଠାରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ତାଙ୍କ ସାମ୍ପଲ ଜିନମ ସିକ୍ବେନ୍ସିଂ ପାଇଁ ପଠା ଯାଇଥିଲା । ଆଜି ତାଙ୍କ ଟେଷ୍ଟ ରିପୋର୍ଟ ଓମିକ୍ରନ ପଜିଟିଭ ଆସିଛି । ସେପଟେ ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିଷୟରେ କୌଣସି ସୂଚନା ହସ୍ତଗତ ହୋଇନାହିଁ।

ସେହିପରି ମହାରାଷ୍ଟ୍ରର ନାଗପୁରରୁ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ନାଗପୁର ଫେରିଥିଲେ। ସେ ଡିସେମ୍ବର ୬ରେ ବିମାନବନ୍ଦରରେ ପଜିଟିଭ୍ ପରୀକ୍ଷା କରିଥିଲେ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ତାଙ୍କର ଜିନୋମ ପରୀକ୍ଷା ରିପୋର୍ଟ ଆଜି ଆସିଥିଲା । ଏହା ହେଉଛି ମହାରାଷ୍ଟ୍ରର ଓମିକ୍ରନର ୧୮ତମ ମାମଲା।