ଦିନକରେ ୧୦ ଥର କରୋନା ଟିକା ନେଲେ ଯୁବକ
ନୂଆଦିଲ୍ଲୀ ୧୩/୧୨: (ସଂକେତ ଟିଭି) ସାରା ବିଶ୍ୱରେ ମାହାମାରୀ କରୋନା ଏବଂ ତା’ର ନୂଆ ଭାରିଏଣ୍ଟକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏଥିପାଇଁ ଏହି ମାହାମାରୀଠାରୁ ବର୍ତ୍ତିବା ଲାଗି ଲୋକେ ଟିକା ନେଉଛନ୍ତି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକା ବୁଷ୍ଟର ଡୋଜ୍? ବି ନେଉଛନ୍ତି । କିନ୍ତୁ ଏହାରି ଭିତରେ ଜଣେ ବ୍ୟକ୍ତି ଦିନକରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହା ତାଙ୍କ ପାଗଳାମି ନା କରୋନା ଭୟ ତାହା ଜଣାପଡିନାହିଁ ।
ନ୍ୟୁଜିଲାଣ୍ଡରୁ ଏଭଳି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାକାର ଜଣେ ଯୁବକ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଟିକା ନେଇଥିବା ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟିକାକରଣ କେନ୍ଦ୍ର ଯାଇ ଟିକା ନେଇଥିଲେ ଏବଂ ପ୍ରତ୍ୟେକ ଡୋଜ ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା ବୋଲି
କୁହାଯାଉଛି ।
ନ୍ୟୁଜିଲ୍ୟାଣ୍ଡରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ -୧୯ ଟିକା ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମର ସମୂହ ପ୍ରବନ୍ଧକ ଏଷ୍ଟ୍ରିଡ୍ କର୍ଣନିଫ୍ କହିଛନ୍ତି ମନ୍ତ୍ରଣାଳୟକୁ ଏ ବିଷୟରେ ଅବଗତ କରାଯାଇଛି । ଘଟଣାକୁ ଗୁରୁତର ସହ ନିଆଯାଇଛି । ସ୍ଥିତିକୁ ନେଇ ମନ୍ତ୍ରଣାଳୟ ବହୁତ ଚିନ୍ତିତ । କୌଣସି ବ୍ୟକ୍ତି ଟିକାର ମାତ୍ରାଧିକ ଡୋଜ୍ ନେଇଥିଲେ, ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ବୋଲି ଅନୁରୋଧ କରିଛି । ତେବେ ଘଟଣାଟି କେଉଁଠାରେ ଘଟିଛି ମନ୍ତ୍ରଣାଳୟ ତାହା ଜଣାଇବ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଏ ପ୍ରସଙ୍ଗରେ ଇମ୍ୟୁନାଇଜେସନ୍ ଆଡଭାଇଜରୀ ସେଣ୍ଟରର ମେଡିକାଲ୍ ନିର୍ଦେଶକ ତଥା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର ଭିନ୍ନ କଥା କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି । ଲୋକଙ୍କୁ ଦିଆଯାଉଥିବା ଟିକାକୁ ପ୍ରାଥମିକ ତଥ୍ୟ ଆଧାରରେ ଡିଜାଇନ୍ କରାଯାଇଛି ।
ଏହା ମାନବ ଶରୀରରେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେବା ସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାମ କରେ । ହେଲେ ଗୋଟିଏ ଦିନରେ ଟିକାକରଣର ଏକାଧିକ ମାତ୍ରା ନେଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିବ ବୋଲି ମଧ୍ୟ ସେ କହିଛନ୍ତି । ଏପରି କରିବା ଆଦୌ ଠିକ୍ ନୁହେଁ । ତେବେ ଏସମ୍ପର୍କରେ ଆମ ପାଖରେ କୌଣସି ପ୍ରମାଣ ନାହିଁ । ଗୋଟିଏ ଦିନରେ ଏକାଧିକ ଡୋଜ୍ ନେବା ନିରାପଦ ନୁହେଁ ବୋଲି ସେ କହିଛନ୍ତି ।