ଜାନୁୟାରୀ-ଫେବୃୟାରୀରେ ଭାରତରେ ଆସିପାରେ ଓମିକ୍ରନ୍‌ ସୁନାମୀ

ନୂଆଦିଲ୍ଲୀ ୧୫।୧୨: (ସଂକେତ ଟିଭି) ଜାନୁଆରୀ-ଫେବୃଆରୀ ମାସରେ ଭାରତରେ ଓମିକ୍ରନ୍‌ ବିସ୍ଫୋରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସାରା ବିଶ୍ବରେ ଏହି ସଂକ୍ରମଣ ବୃଦ୍ଧି ପାଉଛି । ପୃଥିବୀର ୭୭ ଦେଶରେ ଓମିକ୍ରନ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଭାରତରେ ଜାନୁଆରୀ-ଫେବୃଆରୀ ମାସରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଡେଲ୍ଟା ଭାରିଆଣ୍ଟ ଯେଉଁଭଳି ବେଗରେ ସଂକ୍ରମଣ କରିଥିଲା ଓମିକ୍ରନ୍‌ ମଧ୍ୟ ସେଭଳି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଓମିକ୍ରନ କରୋନା ଭାଇରସର ପୂର୍ବ ଭାରିଆଣ୍ଟ୍‌ ତୁଳନାରେ କମ ଗୁରୁତର ସଂକ୍ରମଣ ସୃଷ୍ଟି କରିବାର ଅନୁମାନ କରାଯାଉଛି। ଓମିକ୍ରନର ପ୍ରଭାବ ଡେଲଟା ଭାରିଆଣ୍ଟ ଠାରୁ କମ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟରେ କୁହାଯାଇଛି, ଫାଇଜରର ଟିକା ସଂକ୍ରମଣରୁ କମ୍‌ ସୁରକ୍ଷା ଦେବାକୁ ସକ୍ଷମ ହେଉଛି। ତେଣୁ ଅଧିକ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିବା ଆବଶ୍ୟକ।

ଭାରତର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବା ପାଇଁ ପ୍ରୟାସ କରାଯାଉଛି। ଟିକାର ଦୁଇଟି ଡୋଜ ଓମିକ୍ରନ୍‌ ବିରୋଧରେ କେବଳ ୩୩ ପ୍ରତିଶତ ସୁରକ୍ଷା ଯୋଗାଇଥାଏ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହାରକୁ ୭୦ ପ୍ରତିଶତ ହ୍ରାସ କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି। ତେବେ କରୋନା ମାର୍ଗଦର୍ଶିକା ପାଳନ କରିବା ଉପରେ ଗୁରୁତ୍ୱାରୋପ କରିବା ଅପରିହାର୍ଯ୍ୟ ବୋଲି ବିଶେଷଜ୍ଞ କହିଛନ୍ତି।

ତେବେ ଓମିକ୍ରନ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବରଂ ଏହାର ସଂକ୍ରମଣ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଭାରତୀୟ ସ୍ବାସ୍ଥ୍ଯ ବିଭାଗର ଅଧିକାରୀମାନେ କହିଛନ୍ତି ।