ଛବି ସଜାଡ଼ିବାକୁ କସରତ, ପ୍ରମାଣ ନାହିଁ ହେଲେ ବିଜେପି କହୁଛି ଫଟୋ ନକଲି

ବାଲେଶ୍ବର ୧୭।୧୨: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଜଣେ ମହିଳାଙ୍କ ସହିତ ଅତି ଅନ୍ତରଙ୍ଗ ସମୟର ଫଟୋ ଭାଇରାଲ ଘଟଣାରେ ବିଜେପି ଥାନାରେ ଏତଲା ଦେବା ସହିତ ସାମ୍ବାଦିକ ସମ୍ମିଳନୀ କରି ନିଜ ଛବି ସଜାଡିବା ପାଇଁ ପ୍ରୟାସ କରିଛି । ହେଲେ ଏପର୍ଯ୍ଯନ୍ତ ସେମିତି କିଛି ପ୍ରମାଣ ଉପସ୍ଥାପନ କରିନାହିଁ ଯେଉଁଥିରୁ ଜାଣି ହେବ ଯେ ଫଟୋଟି ନକଲି ଏବଂ ଏଡିଟ୍ କରାଯାଇଛି ।

ଏନେଇ ବାଲେଶ୍ବର ଜିଲ୍ଲା ବିଜେପି ଗଣମାଧ୍ଯମ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କୁ ଯୋଗା ଯୋଗ କରି ଶ୍ରୀ ମହାପାତ୍ରଙ୍କ ଯେଉଁ ଫଟୋକୁ ଏଡିଟ୍ କରାଯାଇଛି ତାହା ମଗାଯାଇଥିଲା । ହେଲେ ସେ ଓଲଟା କହିଥିଲେ ସେମିତି କିଛି ଜାଣି ହେବ ନାହିଁ କେଉଁ ଫଟୋରୁ ଆଣି ଏଡିଟ୍ କରାଯାଇଛି । ଜିଲ୍ଲା ସଭାପତିଙ୍କ ଶହ ଶହ ଫଟୋ ସୋସିଆଲ ମିଡିଆରେ ରହିଛି ।

ଗୋଟିଏ ଫଟୋରେ ଶ୍ରୀ ମହାପାତ୍ର କଳା ସାର୍ଟ ପରିଧାନ କରିଥିବାବେଳେ ଅନ୍ଯଟିରେ ସେ ଖୋଲା ଦେହରେ ଅଛନ୍ତି । ତେବେ ଖୋଲା ଦେହରେ ଥିବା ଫଟୋଟି ନିଶ୍ଚିତ ଭାବରେ ଜିଲ୍ଲା ସଭାପତିଙ୍କର ନିଜର ବ୍ଯକ୍ତିଗତ ଫଟୋ ହୋଇଥିବ । ଏବଂ ତାଙ୍କ ପାଖରେ ଥିବ ଏବଂ ତାକୁ ସେ ଗଣମାଧ୍ଯମ ଆଗରେ ଉପସ୍ଥାପନ କରିପାରିବେ । ଏହି ଫଟୋ ଦୁଇଟିର ଅରିଜିନାଲ କପି ଦେବା ପାଇଁ କହିବାରୁ ଶ୍ରୀ ପ୍ରଧାନ କଥାଟିକୁ ଏଡାଇ ଦେଇ ସେ ଗୋଟିଏ ମିଟିଂରେ ଅଛନ୍ତି ଏବଂ ମିଟିଂ ସରିବା ପରେ କଥାହେବେ ବୋଲି କହିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଯଦି ପ୍ରକୃତରେ ଶ୍ରୀ ମହାପାତ୍ରଙ୍କ ଏହି ଦୁଇଟି ଫଟୋ ଏଡିଟ୍ ହୋଇଛି , ତେବେ ସେ ଗତକାଲି କରିଥିବା ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଅରିଜିନାଲ ଫଟୋ, ଯେଉଁଥିରୁ ନିଆଯାଇ ଏଡିଟ୍ କରାଯାଇଛି ତାହା ସେ ଉପସ୍ଥାପନ କରିପାରିଥାନ୍ତେ । ହେଲେ ସେ ତାହା କଲେ ନାହିଁ କାହିଁକି ।

କେବଳ ବିଜେପି ତଥା ନିଜର ଛବି ସୁଧାରିବା ପାଇଁ ସେ ଟାଉନଥାନାରେ ଏକ ଏତଲା ଦେବା ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଫଟୋଟି ନକଲି ଏବଂ ବିରୋଧୀ ଦଳ ବିଜେପିକୁ ବଦନାମ କରିବା ପାଇଁ ଏଭଳି ଫଟୋ ପୋଷ୍ଟ କରିଛନ୍ତି ବୋଲି ସଫେଇ ଦେଇଥିଲେ ।

ସେପଟେ ଯୁବ ବିଜେଡିର ରାଜ୍ଯ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଏନେଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସମସ୍ତେ ବାଲେଶ୍ବରବାସୀ ଜାଣିଛନ୍ତି ଯେ ଫଟୋରେ ଥିବା ମହିଳାଙ୍କ ସହିତ ଜିଲ୍ଲା ସଭାପତିଙ୍କ କଣ ସଂପର୍କ ରହିଛି । ଏହି ଫଟୋରେ ଖୋଲା ଦେହରେ ମହିଳାଙ୍କ ସହିତ ଅନ୍ତରଂଗ ସମୟର ଫଟୋ ରହିବା ଘଟଣା ବିଜେପି ଜିଲ୍ଲା ସଭାପତିଙ୍କ ଚରିତ୍ର କଣ ତାହା ପ୍ରମାଣିତ କରୁଛି। ବର୍ତ୍ତମାନ ନୈତିକତା ଦୃଷ୍ଟିରୁ ଜିଲ୍ଲା ସଭାପତି ନିଜ ପଦବୀ ଛାଡିବା ସହିତ ରାଜନୀତି ମଧ୍ଯ ଛାଡି ଦେବା ଦରକାର ବୋଲି ସେ କହିଛନ୍ତି । ରାଜ୍ଯ ବିଜେପି ନାରୀଙ୍କ ସମ୍ମାନ ଦେବା କଥା କହୁଥିବାବେଳେ ତାଙ୍କ ନିଜ ଦଳର ଜିଲ୍ଲା ସଭାପତି ନାରୀ ମାନଙ୍କୁ କିଭଳି ଭାବରେ ସମ୍ମାନ ଦେଉଛନ୍ତି ଏହା ସୋସିଆଲ ମିଡିଆରେ ଘୁରି ବୁଲୁଛି ବୋଲି ସେ କହିଛନ୍ତି ।

ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଞ୍ଜୀବ ଗିରି କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋଟି ଏଡିଟ୍ ହେଲା ଭଳି ଜଣାପଡୁନାହିଁ । ଏହା ଅରିଜିନାଲ ଫଟୋ ଭଳି ଜଣାପଡୁଛି । ତେବେ ଏହାର ତଦନ୍ତ ସାଇବର କ୍ରାଇମ ପକ୍ଷରୁ କରାଯାଉଛି । ତଦନ୍ତ ପରେ ଏହା ଯଦି ସତ୍ଯ ବୋଲି ଜଣାପଡିବ, ତେବେ ସାଂଘାତିକ । ରାଜନୀତିରେ ଯେଉଁମାନେ ବଡ ବଡ ପଦ ପଦବୀରେ ଅଛନ୍ତି ସେମାନେ ଯଦି ଏଭଳି କାର୍ଯ୍ଯରେ ଲିପ୍ତ ରହିବେ ତେବେ ତାହା ଦୁର୍ଭାଗ୍ଯଜନକ ।

ସୂଚନା ଅନୁସାରେ, ଜଣେ ମହିଳାଙ୍କ ସହିତ ଶ୍ରୀ ମହାପାତ୍ରଙ୍କ ଅନ୍ତରଂଗ ସମୟର ଫଟୋ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଭାଇରାଲ ହେବା ପରେ ଶ୍ରୀ ମହାପାତ୍ର ବିବାଦ ଘେରକୁ ଆସିଛନ୍ତି । ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖାଯାଇଛି ଯେ ରାଜ୍ଯ ବିଜେପି ମମିତା ମେହେରକୁ ନ୍ଯାୟ ଦେବାର ପ୍ରହସନ କରୁଥିବାବେଳେ ବାଲେଶ୍ବର ଜିଲ୍ଲା ବିଜେପି ସଭାପତି ଚାକିରୀ ଦେବା ବାହାନାରେ ନାରୀମାନଙ୍କ ସହିତ ଅନୈତିକ ସଂପର୍କ ରଖୁଛନ୍ତି । ଏହା ହେଉଛି ବିଜେପିର ଆଦର୍ଶ ।