ପହିଲାରୁ ବଦଳିଯିବ ନିୟମ, ୧୦ହଜାରରୁ ଅଧିକ ଟଙ୍କା ଜମା ଉପରେ ବ୍ୟାଙ୍କ ନେବ ଚାର୍ଜ

ନୂଆଦିଲ୍ଲୀ ୨୦।୧୨: (ସଂକେତ ଟିଭି) କିଛିଦିନ ପରେ ୨୦୨୧ ଶେଷ ହେବ ଓ ୨୦୨୨ ଆରମ୍ଭ ହେବ। ଏହାସହ ଦେଶରେ କିଛି ବଡ ନିୟମର ବି ପରିବର୍ତ୍ତନ ହେବାକୁ ଯାଉଛି। ବିଶେଷ କରି ୨୦୨୨ ଜାନୁଆରି ପହିଲାରୁ ବ୍ୟାଙ୍କର କିଛି ପୁରୁଣା ନିୟମର ପରିବର୍ତ୍ତନ ହେବାକୁ ଯାଉଛି। ଏହି କ୍ରମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତା’ର ଜମା ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛି। ଏହି ବ୍ୟାଙ୍କର ଖାତାଧାରକମାନଙ୍କୁ ଏବେ ଏକ ଲିମିଟରେ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବାକୁ ପଡିବ ।

ଏହି ନିୟମ ଜାନୁଆରି ପହିଲାଠାରୁ ଲାଗୁ ହେବାକୁ ଯାଉଛି । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୩ ପ୍ରକାର ସଞ୍ଚୟ ଖାତା ଖୋଲାଯାଇଥାଏ । ଏହି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଅପେକ୍ଷା ଅଧିକ କିଛି ସୁବିଧା ତାର ଗ୍ରାହକମାନଙ୍କୁ ଯୋଗାଇଥାଏ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ବାଣିଜ୍ୟ ସଞ୍ଚୟ ଖାତାରୁ ପ୍ରତିମାସ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇ ପାରିବେ। କିନ୍ତୁ ପଞ୍ଚମ ଥରଠାରୁ ପ୍ରତି ଉଠାଣ ଉପରେ ଗ୍ରାହକଙ୍କୁ ୨୫ ଟଙ୍କା ଦେବାକୁ ହେବ । ହେଲେ ବାଣିଜ୍ୟ ସଞ୍ଚୟ ଖାତାରେ ଟଙ୍କା ଜମା କରିବା ନେଇ କୌଣସି ଦେୟ ଲାଗିବ ନାହିଁ ବୋଲି ଜଣାପଡିଛି ।

ବ୍ୟାଙ୍କରେ ଏକ ସେଭିଂ ଆକାଉଣ୍ଟ ଖୋଲିବା ଏବଂ ପ୍ରତି ମାସରେ ୧୦ ହଜାର ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଆଦାୟ ହେବ ନାହିଁ, କିନ୍ତୁ ଏହି ସୀମାଠାରୁ ଅଧିକ ଜମା କରିବା ଦ୍ୱାରା ୨୫ ଟଙ୍କା ଚାର୍ଜ ହେବ । ଅର୍ଥାତ୍ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ମଧ୍ୟ ଅଲଗା ଚାର୍ଜ ଦେବାକୁ ପଡିବ । ସେପଟେ ଅନ୍ୟ ସେଭିଂ ଆକାଉଣ୍ଟ ଏବଂ କରେଣ୍ଟ ଆକାଉଣ୍ଟରୁ ପ୍ରତି ମାସରେ ୨୫ ହଜାର ଟଙ୍କା ଉଠାଇବା ପାଇଁ କୌଣସି ଦେୟ ଲାଗୁ ହେବ ନାହିଁ । ତଥାପି, ପ୍ରତ୍ୟେକ ଥର ଯେତେବେଳେ ଆପଣ ମାଗଣା ସୀମା ପରେ ଟଙ୍କା ପ୍ରତ୍ୟାହାର କରନ୍ତି, ଅତିକମରେ ୨୫ ଟଙ୍କା ଚାର୍ଜ କରିବାକୁ ପଡିବ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜାନୁଆରୀ ପହିଲାରୁ ଏହି ସମସ୍ତ ନିୟମ କାର୍ଯ୍ୟକାରୀ କରିବ । ଏହି ଚାର୍ଜ ଉପରେ ଜିଏସଟି ଓ ସେସ୍ ମଧ୍ଯ ଆଦାୟ କରାଯିବ । ଏହାପୂର୍ବରୁ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗତ ଅଗଷ୍ଟ ୧ ରେ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ଚାର୍ଜର ନୂତନ ହାର ଲାଗୁ କରିଥିଲା। ଏଥିପାଇଁ ପ୍ରତ୍ୟେକ ଗ୍ରାହକଙ୍କ ଉପରେ ୨୦ ଟଙ୍କା ଚାର୍ଜ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଜାନୁଆରୀ ୧ ରୁ ୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡିବ ।