ଅତର ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୫୯ କୋଟିରୁ ଅଧିକ ଟଙ୍କା

ଲକ୍ଷ୍ମୌ,୨୪/୧୨: (ସଂକେତ ଟିଭି) କାନପୁରର ଜଣେ ଅତର ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି । ଗୋଟିଏ ଆଲମିରା ନୁହେଁ ଏକାଧିକ ଆଲମିରାରେ ଭର୍ତ୍ତି ହୋଇଥିବା ୧୫୯ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଛି । ତେବେ ଏହି ଜବତ ଟଙ୍କା କେତେରେ ପହଞ୍ଚିବ ତାହା ଜଣାପଡିନାହିଁ । ଗତ ୨୪ ଘଣ୍ଟା ହେବ ଏହି ଟଙ୍କା ଗଣତି ଜାରି ରହିଛି ।

କାନପୁରର ଜନୈକ ପର୍ଫ୍ୟୁମ ବ୍ୟବସାୟୀ ପୀୟୁଷ ଜୈନଙ୍କ ବାସଭବନରେ ଆୟକର ବିଭାଗ ରେଡ୍ କରିଥିଲା। ଏହି ସମୟରେ ତାଙ୍କୁ ଏତେ ଟଙ୍କା ମିଳିଲା ଯେ, ୨୪ ଘଣ୍ଟା ପରେ ବି ନୋଟ ଗଣିବା ସରିଲାନି । ବାଧ୍ୟ ହୋଇ ଚାରୋଟି ଟଙ୍କା ଗଣା ମେସିନ ମଗାଇଥିଲେ । ତଥାପି ୨୪ ଘଣ୍ଟା ପରେ ବି ଟଙ୍କା ଗଣା ସରିନାହିଁ । ଟଙ୍କା ନେବାକୁ ଆୟକର ବିଭାଗ ୬ଟି ବଡବଡ ଟିଣ ବାକ୍ସ ମଗାଇଛି ।

କିଛି ମାସ ତଳେ ସମାଜବାଦୀ ପାର୍ଟି ତରଫରୁ ଏକ ପରଫ୍ୟୁମ୍ ଲଞ୍ଚ କରାଯାଇଥିଲା । ଯାହା ପାର୍ଟିକୁ ମହକାଇବା ସହ ଦଳ ଭିତରେ ଥିବା ମତଭେଦକୁ ଦୂରେଇଦେବ ବୋଲି କୁହାଯାଇଥିଲା। ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ୩ଜଣ ବ୍ୟକ୍ତି ଅନେକ ଗବେଷଣା କରିଥିଲେ । ଏହି ପରଫ୍ୟୁମରେ କାଶ୍ମୀର ଠାରୁ କନ୍ୟକୁମାରୀ ଯାଏଁ ମିଳୁଥିବା ୧୦୦ରୁ ଉର୍ଧ୍ବ ହର୍ବାଲ ସାମଗ୍ରୀ ବ୍ୟବହାର ହୋଇଥିବା କୁହାଯାଇଥିଲା । ପୀୟୁଷ ଜୈନ ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ଦାୟୀତ୍ୱ ନେଇଥିଲେ ।

ଏହାକୁ ନେଇ ସମାଜବାଦୀ ପାର୍ଟି ଓ ବିଜେପିଙ୍କ ମଧ୍ୟରେ ଏବେ ଟଣା ଓଟରା ଆରମ୍ଭ ହୋଇଛି । ବିଜେପିର ଏକାଧିକ ନେତା ଏହାକୁ ସମାଜବାଦୀ ପାର୍ଟିର କଳାଧନ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପରଫ୍ୟୁମରୁ ସୁଗନ୍ଧ ବାହାରୁନି ବରଂ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି ବୋଲି ଉତ୍ତରପ୍ରଦେଶ ବିଜେପି ଅଭିଯୋଗ ଆଣିଛି । ଅନ୍ୟପଟେ ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବାକୁ ଏବେ ବିଜେପି କେନ୍ଦ୍ର ଯାଞ୍ଚ ସଂସ୍ଥାକୁ ହାତ କରି ଚଢଉ କରୁଛି ।