ଦୁଇଟି ଡୋଜ ନେଇଥିବା ଅଧିକାଂଶ ଲୋକ ଓମିକ୍ରୋନରେ ଆକ୍ରାନ୍ତ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ୨୫/୧୨: (ସଂକେତ ଟିଭି) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ୩୫୮ ଜଣ ଓମିକ୍ରୋନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୪ ଜଣ ସୁସ୍ଥ ହୋଇଛନ୍ତି । ଓମିକ୍ରନ୍ ମାମଲା ୩ ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ତେବେ ଓମିକ୍ରୋନକୁ ନେଇ ଯେଉଁ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଛି ତାହା ଅନେକଙ୍କ ଚିନ୍ତାକୁ ବଢାଇ ଦେଇଛି । କାରଣ ଓମିକ୍ରୋନ ଆକ୍ରାନ୍ତ ହୋଇଥିବା ୯୧% ଲୋକ ଡବଲ ଡୋଜ ନେଇଛନ୍ତି । ତେଣୁ ଟିକାକରଣ ପରେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ଏନେଇ ସତର୍କ କରାଯାଇଛି । ଟିକା ନେଇଥିଲେ ମଧ୍ୟ କରୋନା ଗାଇଡଲାଇନ ମାନିବାକୁ ପଡିବ। ଏହାଛଡା ୭୦% ମାମଲାରେ ଓମିକ୍ରନର ଲକ୍ଷଣ ଦେଖାଯାଉନାହିଁ । ଆକ୍ରାନ୍ତଙ୍କ ମଧ୍ୟରୁ ୬୧% ପ୍ରତିଶତ ହେଉଛନ୍ତି ପୁରୁଷ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ବପୂର୍ଣ୍ଣ । ସେହିପରି ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ । ସେହିପରି ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ।