ଅନ ଲାଇନ୍ କାର୍ଡ ପେମେଣ୍ଟ ର ନୂଆ ନିୟମ ଲାଗୁ ହେବ

ନୂଆଦିଲ୍ଲୀ ୨୫/୧୨: (ସଂକେତ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ ଅନ୍ଲାଇନ୍ ଆର୍ଥିକ ଠକେଇ ରୋକିବା ଲାଗି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ ଲାଇନ୍ କାର୍ଡ କାରବାରରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହି ନିୟମ ୨୦୨୨ ଜାନୁଆରି ୧ରୁ ଲାଗୁ ହେବାର ଥିଲା । କିନ୍ତୁ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି ।

ଏବେ ପ୍ରଚଳନରେ ଥିବା ବ୍ୟବସ୍ଥାରେ ଗ୍ରାହକମାନେ କୌଣସି ସଂସ୍ଥାରୁ କିଣାକିଣି କଲେ କିମ୍ବା ବରାଦ ଦେବା ବେଳେ ସେମାନଙ୍କ କାର୍ଡର ବିବରଣୀକୁ ସେଥିରେ ସେଭ୍ (ସଂରକ୍ଷିତ ରଖିବା) କରୁଛନ୍ତି । ସେହି ସମୟରେ ସେମାନେ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ବିବରଣୀକୁ ପେମେଣ୍ଟ୍ ପାଇଁ ଥିବା ବ୍ୟବସ୍ଥାରେ ସେଭ୍ କରି ରଖୁଛନ୍ତି । ଫଳରେ ବାରମ୍ବାର ପେମେଣ୍ଟ୍ କରିବା ବେଳେ ଆଉ କାର୍ଡ ବିବରଣୀକୁ ପ୍ରତି ଥର ଦେବାକୁ ପଡ଼ୁନାହିଁ । କିନ୍ତୁ ସେମାନଙ୍କ କାର୍ଡର ସମସ୍ତ ତଥ୍ୟ ପେମେଣ୍ଟ୍ ଗ୍ରହଣ କରୁଥିବା ସଂସ୍ଥା ପାଖରେ ରହୁଛି ।

କାର୍ଡର ନମ୍ବର, ସିଭିଭି ନମ୍ବର ଆଦି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ କମ୍ପାନୀଗୁଡ଼ିକ ପାଖରେ ରହୁଛି । ଯଦିଓ ଏହି ବ୍ୟବସ୍ଥା ଉଭୟ କମ୍ପାନୀ ଓ ଗ୍ରାହକଙ୍କ ପାଇଁ ବେଶ ସହଜ, କିନ୍ତୁ କାର୍ଡ ତଥ୍ୟର ଅପବ୍ୟବହାର ହେବାର ବହୁ ଆଶଙ୍କା ରହୁଛି । ୨୦୨୨ ଜୁଲାଇ ୧ରୁ ଯେଉଁ ନୂଆ ବ୍ୟବସ୍ଥା ପ୍ରଚଳନ ହେବ ସେଥିରେ ଗ୍ରାହକମାନେ ଆଉ ନିଜ କାର୍ଡ ତଥ୍ୟକୁ ସଂରକ୍ଷିତ ରଖିବାର ସୁବିଧା ପାଇବେ ନାହିଁ । ପ୍ରତି ଥର ପେମେଣ୍ଟ୍ କରିବା ବେଳେ କାର୍ଡର ବିବରଣୀ ଦେବାକୁ ପଡ଼ିବ । ଏହା ଗ୍ରାହକଙ୍କୁ ବିରକ୍ତିକର ଅନୁଭୂତି ପ୍ରଦାନ କରିାରେ, କିନ୍ତୁ ସେମାନଙ୍କ କାର୍ଡକୁ ସୁରକ୍ଷିତ ରଖିବାରେ ତାହା ବିଶେଷ ସହାୟକ ହେବ ।