ପିଲାଙ୍କୁ କରୋନା ଟିକା ଦେବା ବିଜ୍ଞାନ ସମ୍ମତ ନୁହେଁ : ଏମ୍ସ ବିଶେଷଜ୍ଞ

ନୂଆଦିଲ୍ଲୀ, ୨୭/୧୨: (ସଂକେତ୍ ଟିଭି) ପିଲାମାନଙ୍କୁ ଟିକା ଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିଜ୍ଞାନ ସମ୍ମତ ନୁହେଁ । ଏହାଦ୍ୱାରା କୌଣସି ଅତିରିକ୍ତ ଫାଇଦା ମିଳିବ ନାହିଁ ବୋଲି ଏମ୍ସର ବରିଷ୍ଠ ଇପି ଡେମୋଲୋଜିଷ୍ଟ କହିଛନ୍ତି ।

ଏମ୍ସର ଏହି ବରିଷ୍ଠ ଡାକ୍ତର ସଞ୍ଜୟ କେ ରାୟ କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଯେଉଁ ଦେଶରେ ପିଲାମାନଙ୍କୁ ଟିକା ଦିଆଯାଇଛି, ସେ ତଥ୍ୟ ଗୁଡ଼ିକ ବିଶ୍ଲେଷଣ କରିବାର ଆବଶ୍ୟକତା ଥିଲା । ପ୍ରଧାନମନ୍ତ୍ରୀ ଶନିବାର ଦିନ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଥିଲେ ଯେ, ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆସନ୍ତା ୩ରୁ ଆରମ୍ଭ ହେବ । ଏହାଦ୍ୱାରା ସ୍କୁଲ ଓ କଲେଜ ଯାଉଥିବା ପିଲାଙ୍କ ପାଇଁ ତାଙ୍କ ଅଭିଭାବକମାନଙ୍କର ଚିନ୍ତା ହ୍ରାସ ହେବ । ଏହା ମଧ୍ୟ ମହାମାରୀ ବିରୋଧରେ ଲଢ଼ିବା ପାଇଁ କ୍ଷମତା ଯୋଗାଇବ । ଏହାଫଳରେ
ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ସ୍ୱାଭାବିକ ହୋଇପାରିବ ।

ତେବେ ଏମ୍ସର ଡାକ୍ତର ଶ୍ରୀ ରାୟ କହିଛନ୍ତି ଯେ, ନିସ୍ୱାର୍ଥପର ଭାବରେ ଦେଶ ସେବା କରୁଥିବାରୁ ସେ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ । ସେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥାନ୍ତି । ମାତ୍ର ପିଲାମାନଙ୍କୁ ଟିକା ଦେବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେ ତାହାକୁ ଗ୍ରହଣ କରିପାରୁ ନାହାନ୍ତି । କାରଣ ଏହା ଏକ ଅବୈଜ୍ଞାନିକ ନିଷ୍ପତ୍ତି । ସେ କହିଛନ୍ତି ଯେ, ଏଥିରେ ତୁରନ୍ତ ହସ୍ତକ୍ଷେପ କରାଯାଉ । ଏହାର ମୂଳ ଲକ୍ଷ୍ୟ ହେଉଛି ଯେ, କରୋନା ସଂକ୍ରମଣକୁ ରୋକିବା ଓ ରୋଗୀଙ୍କୁ ଗୁରୁତର ହେବାରୁ ବଞ୍ଚାଇବା ସହ ମୃତ୍ଯୁମୁଖରୁ ବଞ୍ଚାଇବା । ଟିକା ସମ୍ପର୍କରେ ଆମର ଯେଉଁ ଜ୍ଞାନ ଅଛି, ସେଥିରୁ ସ୍ପଷ୍ଟ ଯେ ସଂକ୍ରମଣକୁ ଫଳପ୍ରଦ ଭାବେ ରୋକିବାରେ ଏହା ଅସମର୍ଥ ।

କେତେକ ଦେଶରେ ଲୋକମାନେ ବୁଷ୍ଟର ଡୋଜ୍ ନେଲାପରେ ବି ସଂକ୍ରମିତ ହୋଇଛନ୍ତି । ବ୍ରିଟେନରେ ଦୈନିକ ୫୦ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଏହା ପ୍ରମାଣ କରୁଛି ଯେ, ଟିକାକରଣ କରୋନା ସଂକ୍ରମଣକୁ ରୋକିପାରିବ ନାହିଁ । କିନ୍ତୁ ଏହା ଗୁରୁତର ହେବା ଓ ମୃତ୍ଯୁକୁ ରୋକିବା ଦିଗରେ ଫଳପ୍ରଦ ହୋଇଛି ।

ସେ କହିଛନ୍ତି ଯେ କୋଭିଡ୍ ଯୋଗୁ ଜନସଂଖ୍ୟା ଅନୁଯାୟୀ ମୃତ୍ଯୁ ହାର ୧.୫% ରହିଛି । ଯାହାର ଅର୍ଥ ହେଉଛି ଯେ ୧୦ ଲକ୍ଷ ଲୋକରେ ୧୫ହଜାରଙ୍କ ମୃତ୍ଯୁ ଘଟୁଛି । ଟିକାକରଣ ଦ୍ୱାରା ଆମେ ୮୦ରୁ ୯୦% ମୃତ୍ଯୁକୁ ରୋକିପାରିଛୁ । ଯାହାର ଅର୍ଥ ପ୍ରତି ୧୦ଲକ୍ଷରେ ୧୩ରୁ ୧୪ହଜାର ମୃତ୍ଯୁ ରୋକାଯାଇ ପାରିବ । ଟିକାକରଣ ପରେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ୧୫ ନିୟୁତ ଜନସଂଖ୍ୟା ମଧ୍ୟରୁ ୧୦ ନିୟୁତରେ ଦେଖାଯାଉଛି । ଯଦି ଆମେ ବୟସ୍କଙ୍କ କ୍ଷେତ୍ରରେ ଏହାର ବିପଦ ଓ ଫାଇଦାକୁ ବିଶ୍ଲେଷଣ କରିବା, ଏହା ବ୍ୟାପକ ଫାଇଦା ଦେଇଛି ।

ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ଦ୍ୱାରା ଗୁରୁତର ହେବା ସମ୍ଭାବନା କମ୍ ରହିଛି । ପ୍ରତି ୧୦ ଲକ୍ଷରେ ଦୁଇ ଜଣଙ୍କର ମୃତ୍ଯୁ ହେଉଛି । ପିଲାମାନଙ୍କ କ୍ଷେତ୍ରରେ ୧୫ହଜାର ମୃତ୍ଯୁ ହୋଇନାହିଁ । ମାତ୍ର ଆମକୁ ଏହାର ପାର୍ଶ୍ବ ପ୍ରତିକ୍ରିୟାକୁ ମନେ ରଖିବାକୁ ପଡ଼ିବ । ପିଲାମାନଙ୍କୁ ଟିକା ଦେଲେ ଆମର ଉଭୟ ମୂଳ ଲକ୍ଷ୍ୟ ପୂରଣ ହେବ ନାହିଁ । ଆମେରିକା ସମେତ କିଛି ଦେଶ ୪/୫ ତଳେ ପିଲାମାନଙ୍କୁ ଟିକା ଦେଇଥିଲା । ଏହି ଦେଶର ତଥ୍ୟକୁ ପିଲାମାନଙ୍କୁ ଟିକା ଦେବା ପୂର୍ବରୁ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି ।