ଅଧିନାୟକ ପରିବର୍ତ୍ତନକୁ ରବି ଶାସ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୨୮/୧୨: (ସଂକେତ୍ ଟିଭି) ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ ବିସିସିଆଇ ଚୟନକର୍ତ୍ତା ଟେଷ୍ଟ ଓ ଦିନିକିଆ ଏବଂ ଟି-୨୦ ଫର୍ମାଟ ପାଇଁ ଦୁଇ ଜଣ ପୃଥକ ଅଧିନାୟକ ନିଯୁକ୍ତ କରିବା ଅତି ପସନ୍ଦ ଯୋଗ୍ୟ ନିଷ୍ପତ୍ତି । କାରଣ ଏହା ଦ୍ୱାରା ଭାରତୀୟ କ୍ରିକେଟ ନିଶ୍ଚିତ ଉପକୃତ ହେବ ।

ବହୁ ପୂର୍ବରୁ ଏପରି ନିଷ୍ପତ୍ତି ନେବାର ଥିଲା। ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ନିଷ୍ପତ୍ତିର ଯଥେଷ୍ଟ ଗୁରୁତ୍ୱ ରହିଛି । କାରଣ ଜଣେ ଖେଳାଳି ଏକ କାଳୀନ ତିନି ଫର୍ମାଟରେ ଅଧିନାୟକତ୍ୱ କରିବା ଦ୍ୱାରା ସେ ନିଶ୍ଚିତ ଅଧିକ ଭାରାକ୍ରାନ୍ତ ହେବେ । ତେଣୁ କୋହଲି ଟେଷ୍ଟ କ୍ରିକେଟ ଦଳର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ।

ସେହିପରି ସୀମିତ ଓଭର ସ୍ପୋଲିଷ୍ଟ ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଚୟନ କରିବା ସମ୍ପୂର୍ଣ୍ଣ ଠିକ ସିଦ୍ଧାନ୍ତ । କାରଣ ବର୍ତ୍ତମାନ କରୋନା ପାଇଁ ଖେଳାଳିଙ୍କୁ କୌଣସି ସିରିଜ କିମ୍ବା ଟୁର୍ଣ୍ଣାମେଣ୍ଟ ଖେଳିବା ବେଳେ ଅଧିକ ଦିନ ବାୟୋ-ବବଲ ମଧ୍ୟରେ ରହିବାକୁ ପଡୁଛି । ତେଣୁ ଦୁଇ ଜଣ ଅଧିନାୟକ ହେଲେ କୌଣସି ଖେଳାଳି ଭାରାକ୍ରାନ୍ତ ହେବେ ନାହିଁ ।

ତେବେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବା ସହିତ ଓପନର ଭାବେ ନିଜ ସ୍ଥିତିକୁ ବଜାୟ ରଖିବା ମଧ୍ୟ ବିଶେଷ ଗୁରୁତ୍ବପୂର୍ଣ୍ଣ । କାରଣ ତାଙ୍କ ପରି ଜଣେ ଖେଳାଳି ଓପନିଂ ଦାୟିତ୍ୱ ସମ୍ଭାଳିଲେ ଭାରତୀୟ ଦଳର ବ୍ୟାଟିଂ ଅଧିକ ମଜଭୂତ ହୋଇ ପାରିବ । କାରଣ ବିଜୟୀ ହେବା ଆମର ମୂଳ ଲକ୍ଷ୍ୟ । ତେଣୁ ଖେଳାଳିଙ୍କୁ ଅଧିକ ୱାର୍କଲୋଡ ଦେବା ଦ୍ୱାରା ସେମାନଙ୍କର ପ୍ରଦର୍ଶନରେ ବାଧା ସୃଷ୍ଟି ହେବ ।