ଓଡିଶାରେ କରୋନା ସଂକ୍ରମଣ ଫେବୃୟାରୀରେ ପିକ୍ ଛୁଇଁବ
ଭୁବନେଶ୍ବର, ୨୮/୧୨: (ସଂକେତ୍ ଟିଭି) ଓଡିଶାରେ ଖୁବଶୀଘ୍ର ତୃତୀୟ ଲହର ଆସିବ । ଏହା ଫେବୃୟାରୀ ପିକ୍ ଛୁଇଁବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡିଶାରେ କୋରୋନାର ପ୍ରଥମ ଓ ଦ୍ବିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ, ତେବେ ଏହା ଖୁବଶୀଘ୍ର ଓଡିଶା ଆସିବ । ଫେବୃୟାରୀ ମାସ ବେଳକୁ ଏହା ପିକ୍ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢିଚାଲିଛି । ଓଡିଶାରେ ମଧ୍ୟ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ତେଣୁ ଓଡିଶାରେ ଖୁବଶୀଘ୍ର ତୃତୀୟ ଲହର ଆସିବ ଏବଂ ଫେବୃୟାରୀରେ ପିକ୍ ଛୁଇଁବ ବୋଲି ଆଶା କରାଯାଇଛି ।
ଓଡିଶା ସରକାର ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି । ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।